9
ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବାବେଳେ କେନ୍ଦୁଝର ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ନିକଟରେ ମାଟି ଅତଡ଼ା ଧସି ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଦ୍ରାସାହିରୁ କୋଇଡା ଅଭିମୁଖେ ଯାଇଥିବା ରାସ୍ତାର ବାମ ପାର୍ଶ୍ୱରେ ପାହାଡ଼ରୁ ମାଟି ଖସି ରାସ୍ତା ଉପରେ ଜମା ହୋଇଯିବାରୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି।
ମାଟି ଜମିଯିବା ଯୋଗୁଁ ବିଶେଷକରି ଚାରିଚକିଆ ଓ ଭାରୀ ଯାନଗୁଡ଼ିକ ଏହି ରାସ୍ତାରେ ସ୍ୱାଭାବିକ ଭାବେ ଯାତାୟତ କରିପାରିନଥିଲେ। ଲଗାଣ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ମାଟି ଧସିବାର ଆଶଙ୍କା ଥିବାରୁ ଯାତ୍ରୀ ଓ ଚାଳକମାନଙ୍କ ମଧ୍ୟରେ ସତର୍କତା ବଢ଼ିଛି।
ତେବେ ଅତଡ଼ା ଧସିବା ସମୟରେ ସେହି ସ୍ଥାନରେ କୌଣସି ଗାଡ଼ି, ବାଇକ୍ ଆରୋହୀ କିମ୍ବା ପଥଚାରୀ ଉପସ୍ଥିତ ନଥିବାରୁ କୌଣସି ଦୁର୍ଘଟଣା କିମ୍ବା ଜୀବନହାନି ଘଟିନଥିବା ଜଣାପଡ଼ିଛି। ବର୍ଷା ଜାରି ରହିଥିବାରୁ ଘାଟି ଅଞ୍ଚଳରେ ଯାତାୟତ କରୁଥିବା ଲୋକଙ୍କୁ ସତର୍କତାର ସହ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।
