Home Odishaଓଡ଼ିଶାକୁ ବଡ଼ ଉପହାର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ‘କ୍ଲାସିକାଲ୍ ପାଲି’ ସେଣ୍ଟର

ଓଡ଼ିଶାକୁ ବଡ଼ ଉପହାର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ‘କ୍ଲାସିକାଲ୍ ପାଲି’ ସେଣ୍ଟର

by Lokanath Panigrahi
0 comments

କୋରାପୁଟ: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ପ୍ରାଚୀନ ଭାଷା ଓ ଭାଷାଗତ ଐତିହ୍ୟର ଅଧ୍ୟୟନ, ସଂରକ୍ଷଣ ଓ ଗବେଷଣାକୁ ଆଗକୁ ବଢ଼ାଇବା ପାଇଁ ଦେଶରେ ୫ଟି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ଏଥିମଧ୍ୟରୁ ‘କ୍ଲାସିକାଲ୍ ପାଲି’ ପାଇଁ ସେଣ୍ଟର ଓଡ଼ିଶାର କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଉଚ୍ଚଶିକ୍ଷା ବିଭାଗ ଓ ଭାଷା ବିଭାଗ ପକ୍ଷରୁ ଅକ୍ଟୋବର ୧, ୨୦୨୬ରେ ଜାରି ଅଫିସ୍ ମେମୋରାଣ୍ଡମ୍‌ରେ ଏନେଇ ସୂଚନା ଦିଆଯାଇଛି।

ଏହି ଯୋଜନାରେ ଆସାମର ତେଜପୁର ବିଶ୍ୱବିଦ୍ୟାଳୟରେ କ୍ଲାସିକାଲ୍ ଆସାମୀ, ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ କ୍ଲାସିକାଲ୍ ବଙ୍ଗାଳୀ, ମହାରାଷ୍ଟ୍ରର ପୁଣେସ୍ଥିତ ଡେକାନ୍ କଲେଜ୍‌ରେ କ୍ଲାସିକାଲ୍ ମରାଠୀ, ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କ୍ଲାସିକାଲ୍ ପାଲି ଏବଂ ଗୁଜରାଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କ୍ଲାସିକାଲ୍ ପ୍ରାକୃତ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ।

ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରାଚୀନ ଭାଷାଗୁଡ଼ିକରେ ଉଚ୍ଚମାନର ଏକାଡେମିକ୍ ଗବେଷଣାକୁ ସୁଦୃଢ଼ କରିବା। ଏହାସହ ଭାଷାଗୁଡ଼ିକର ଡିଜିଟାଇଜେସନ୍, ସଂରକ୍ଷଣ ଏବଂ ଐତିହ୍ୟର ପ୍ରଚାର-ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ରହିବ।

କୋରାପୁଟରେ ଏହି ସେଣ୍ଟର ପ୍ରତିଷ୍ଠା ହେବା ଦ୍ୱାରା ପାଲି ଭାଷା ସମ୍ପର୍କିତ ଗବେଷଣା, ଅଧ୍ୟୟନ ଓ ଐତିହାସିକ ତଥ୍ୟର ସଂରକ୍ଷଣ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହେବ। ପ୍ରାଚୀନ ଭାଷାର ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ଗବେଷଣା ମଞ୍ଚ ଭାବେ କାମ କରିବାର ଲକ୍ଷ୍ୟ ରହିଛି।

You may also like

Leave a Comment