Home Featured‘ଜ୍ଞାନୋଦୟ’ ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରୀ; କେଜିରୁ ପିଜି ପର୍ଯ୍ୟନ୍ତ ମିଳିବ ମାଗଣା ଶିକ୍ଷା

‘ଜ୍ଞାନୋଦୟ’ ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରୀ; କେଜିରୁ ପିଜି ପର୍ଯ୍ୟନ୍ତ ମିଳିବ ମାଗଣା ଶିକ୍ଷା

by Gulshan Pandey
0 comments

ଭୁବନେଶ୍ୱର, ୧ ଜୁଲାଇ: ରାଜ୍ୟରେ ଶିକ୍ଷାକୁ ଅଧିକ ସୁଲଭ, ସମାନତାଭିତ୍ତିକ ଓ ସର୍ବଜନୀନ କରିବା ଦିଗରେ ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ୪୩ତମ ବୈଠକରେ ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ମାଧ୍ୟମରେ କେଜିରୁ ପିଜି ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୌଣସି ଛାତ୍ରଛାତ୍ରୀ ଆର୍ଥିକ ଅଭାବ ଯୋଗୁଁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ଅଧାରୁ ଛାଡ଼ିବେ ନାହିଁ। ଏହି ଯୋଜନା ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ କାର୍ଯ୍ୟକାରୀ ହେବ।

ଯୋଜନା ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ। ଏହାର ସୁବିଧା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଇବେ।

ରାଜ୍ୟରେ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିବାବେଳେ ଏହି ନୂଆ ଯୋଜନା ମାଧ୍ୟମରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନର ପ୍ରତିଶ୍ରୁତି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ପଛୁଆ ବର୍ଗର ପରିବାରଗୁଡ଼ିକ ଉପକୃତ ହେବା ସହିତ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଉପସ୍ଥାନ ବୃଦ୍ଧି ପାଇବ। ସେହିପରି ପାଠପଢ଼ା ଅଧାରୁ ଛାଡ଼ିବା ହାର ହ୍ରାସ ପାଇବ ଏବଂ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ଜାରି ରଖିପାରିବେ।

ତେବେ ସେଲ୍ଫ-ଫାଇନାନ୍ସିଂ ପାଠ୍ୟକ୍ରମ, ବେସରକାରୀ ଅଣ-ଅନୁଦାନପ୍ରାପ୍ତ ଅନୁଷ୍ଠାନ, ପିପିପି ମୋଡ୍‌ରେ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ, ଏବଂ ବୃତ୍ତିଗତ ଓ ବୈଷୟିକ କୋର୍ସଗୁଡ଼ିକୁ ଏହି ଯୋଜନାର ପରିସରଭୁକ୍ତ କରାଯାଇ ନାହିଁ।

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷରେ ମୋଟ ୫,୪୬୭.୫୫ କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏହା ରାଜ୍ୟର ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପୁଞ୍ଜିନିବେଶ ମଧ୍ୟରୁ ଅନ୍ୟତମ ହେବ। ଏହାଦ୍ୱାରା ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ସେମାନଙ୍କ ପରିବାରର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ କେବଳ ଏକ ଫି’ ଛାଡ଼ ଯୋଜନା ନୁହେଁ, ବରଂ ରାଜ୍ୟର ପ୍ରତ୍ୟେକ ଶିଶୁ ଓ ଯୁବପିଢ଼ିଙ୍କୁ ସମାନ ଶିକ୍ଷା ସୁଯୋଗ ଯୋଗାଇ ଏକ ବିକଶିତ ଓଡ଼ିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

You may also like

Leave a Comment