Home Odishaଦୁର୍ଗାପୂଜା ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ ହେବ କ୍ରିମିନାଲ କେସ୍‌; ମୁତୟନ ହେବେ ୪୮ ପ୍ଲାଟୁନ୍‌ ଫୋର୍ସ

ଦୁର୍ଗାପୂଜା ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ ହେବ କ୍ରିମିନାଲ କେସ୍‌; ମୁତୟନ ହେବେ ୪୮ ପ୍ଲାଟୁନ୍‌ ଫୋର୍ସ

by Lokanath Panigrahi
0 comments

ଭୁବନେଶ୍ୱର: ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭସାଣି ଶୋଭାଯାତ୍ରାରେ ଡିଜେ ଗାଡ଼ି ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଆୟୋଜକ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ କ୍ରିମିନାଲ କେସ୍‌ ରୁଜୁ ହୋଇପାରେ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଭସାଣି ଶୋଭାଯାତ୍ରାର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ୪୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ପ୍ରାୟ ୧୦୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହେବେ। ଅନ୍ୟପଟେ, ରାବଣପୋଡ଼ି ଉତ୍ସବ ଆୟୋଜନ ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଛି। ପ୍ରତ୍ୟେକ ସ୍ଥାନରେ ଅଗ୍ନି ନିରାପତ୍ତା, ବିଦ୍ୟୁତ୍‌ ସୁରକ୍ଷା ଓ ଦର୍ଶକଙ୍କ ଭିଡ଼ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ।

ଡିଜେ ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭସାଣି ଓ ରାବଣପୋଡ଼ିକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ କମିଶନରଙ୍କ ସ୍ତରରେ ବିଭିନ୍ନ ପୂଜା କମିଟି ଓ ଆୟୋଜକଙ୍କ ସହ ବୈଠକ କରାଯାଇଛି। ଏହାସହ ବିଭିନ୍ନ ଜୋନ୍‌ର ଏସିପିମାନେ ମଧ୍ୟ ପୂଜା କମିଟିଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଭସାଣି ଶୋଭାଯାତ୍ରାରେ ଡିଜେ ଗାଡ଼ି ଚଳାଚଳକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ।

ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ କୁହାଯାଇଛି। ସାଉଣ୍ଡ ବକ୍ସ ବ୍ୟବହାର କ୍ଷେତ୍ରରେ ମଧ୍ୟ ନିର୍ଦ୍ଧାରିତ ଶବ୍ଦସୀମା ଓ ଅନ୍ୟ ନିୟମ ପାଳନ କରିବାକୁ ପଡ଼ିବ। ରାତି ୧୦ଟା ପରେ ଶବ୍ଦ ପ୍ରଦୂଷଣ ସମ୍ପର୍କିତ ନିୟମ ଅନୁଯାୟୀ ଲାଉଡ୍‌ସ୍ପିକର ଓ ଅନ୍ୟ ଶବ୍ଦବର୍ଦ୍ଧକ ଉପକରଣ ବ୍ୟବହାର ଉପରେ କଟକଣା ରହିଛି।

ଗତବର୍ଷ ଭସାଣି ସମୟରେ ରାତି ୧୦ଟା ପରେ ମଧ୍ୟ ଡିଜେ ବାଜୁଥିବା ଅଭିଯୋଗ ଆସିଥିଲା। ଚଳିତ ବର୍ଷ ଏଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ଥାନା ଆଇଆଇସି ଓ ଜୋନ୍‌ ଏସିପିମାନଙ୍କୁ ଆଗୁଆ ସତର୍କ କରାଯାଇଛି। ମଣ୍ଡପରୁ ଭସାଣି ଶୋଭାଯାତ୍ରା ବାହାରିବା ପୂର୍ବରୁ ଡିଜେ ଗାଡ଼ି ଉପରେ ନଜର ରଖାଯିବ। ନିୟମ ଭାଙ୍ଗିଲେ ତୁରନ୍ତ ପଦକ୍ଷେପ ନିଆଯିବ।

ରାବଣପୋଡ଼ି ପାଇଁ ୯ଟି ସ୍ଥାନରେ ସୁରକ୍ଷା କଡ଼ାକଡ଼ି

ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ପାଇଥିବା ୯ଟି ସ୍ଥାନରେ ସୁରକ୍ଷା ନିୟମର ଅନୁପାଳନ ଉପରେ ପୋଲିସ ନଜର ରଖିବ। ନିର୍ଦ୍ଦେଶ ଅନୁଯାୟୀ, ରାବଣପୋଡ଼ି ସ୍ଥଳର ଚାରିପାଖରେ ସର୍ବନିମ୍ନ ୧୦୦ ମିଟର ଦୂରତା ରକ୍ଷା କରିବାକୁ ହେବ। ଏହାସହ ଆତସବାଜି ସଂରକ୍ଷଣ ଓ ଅଗ୍ନି ନିରାପତ୍ତା ସମ୍ପର୍କିତ ନିୟମ ମଧ୍ୟ ପାଳନ କରିବାକୁ ଆୟୋଜକଙ୍କୁ କୁହାଯାଇଛି।

ପ୍ରତ୍ୟେକ ରାବଣପୋଡ଼ି ସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍‌ ଓ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ନିୟୋଜିତ ରହିବେ। ଅନୁମତିପ୍ରାପ୍ତ ଓ ସୁରକ୍ଷିତ ଆତସବାଜି ବ୍ୟବହାର କରିବା ସହ ଦର୍ଶକଙ୍କ ସୁରକ୍ଷା ପାଇଁ ମଜବୁତ୍‌ ବ୍ୟାରିକେଡ୍‌ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ।

ଭସାଣି ପାଇଁ ୬ଟି ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା

ଭସାଣି ପରିଚାଳନା ଲାଗି ୬ଟି ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ୨ଟି ଏବଂ ଚନ୍ଦକା ଅଞ୍ଚଳରେ ଗୋଟିଏ ସ୍ଥାନ ରହିଛି।

ଭସାଣି ଶୋଭାଯାତ୍ରାକୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଶୀଘ୍ର ଶେଷ କରିବା ସହ ପୋଲିସକୁ ସହଯୋଗ କରିବାକୁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳାକୁ ପ୍ରାଥମିକତା ଦେଇ ଦୁର୍ଗାପୂଜା ଭସାଣି ଏବଂ ରାବଣପୋଡ଼ି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ କମିଶନରେଟ୍‌ ପୋଲିସ ଆହ୍ୱାନ ଦେଇଛି।

You may also like

Leave a Comment