Home Cultureଦେବସ୍ନାନ ପୂର୍ଣ୍ଣିମାର କିଛି ଜାଣିନଥିବା ତଥ୍ୟ

ଦେବସ୍ନାନ ପୂର୍ଣ୍ଣିମାର କିଛି ଜାଣିନଥିବା ତଥ୍ୟ

by Gulshan Pandey
0 comments

ଦେବସ୍ନାନ ପୂର୍ଣ୍ଣିମା ଯେଉଁଠି ଭକ୍ତ ପାଇଁ ଭଗବାନ ଦଉଡି ଆସନ୍ତି ସ୍ନାନ ମଣ୍ଡପକୁ । ସେଥିପାଇଁ ତ ତାଙ୍କୁ ପତିତପାବନ କୁହନ୍ତି । ସ୍ନାନ ମଣ୍ଡପକୁ ପ୍ରଭୁ ଆସନ୍ତି ଧାଡି ପହଣ୍ଡି ହୋଇ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡଠାକୁର ବଳଭଦ୍ର ତାଙ୍କ ପଛରେ ମାତା ସୁଭଦ୍ରା ଏବଂ ଶେଷରେ ଆସନ୍ତି ଜଗତର ନାଥ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପ ପାଖରେ ପହଞ୍ଚିଲେ ମଧ୍ୟ ସ୍ନାନ ବେଦୀ ଉପରକୁ ଯାଆନ୍ତି ନାହିଁ ଦେବୀ ସୁଭଦ୍ରା କାହିଁକି ନା ଅପେକ୍ଷା କରିଥାନ୍ତି ଭାଇ ଜଗନ୍ନାଥଙ୍କୁ । ପ୍ରଥମେ ସ୍ନାନ ବେଦୀକୁ ବିଜେ କରନ୍ତି ବଡଠାକୁର ବଳଭଦ୍ର । ସ୍ନାନ ବେଦୀରେ ପ୍ରଥମେ ଯାଇ ଋନ୍ଧା ହୁଅନ୍ତି । ସ୍ନାନ ବେଦୀର ସିଂହାସନରେ ଗୋଟିଏ ଖୁଣ୍ଟି ଅଛି ସେ ଖୁଣ୍ଟିର ନାଁ ହେଉଛି ଅଞ୍ଜନା ଖୁଣ୍ଟି ଯେଉଁଥିରେ ଋନ୍ଧା ହୁଅନ୍ତି ବଡଠାକୁର । ବଡ ଠାକୁରଙ୍କ ପରେ ଋନ୍ଧା ହୁଅନ୍ତି ମହାପ୍ରଭୂ ଜଗନ୍ନାଥ, ତାଙ୍କ ପରେ ମାତା ସୁଭଦ୍ରା ଏବଂ ପରିଶେଷରେ ସୁଦର୍ଶନ ।
ସ୍ନାନ ମଣ୍ଡପ ଯାହା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଉତ୍ତର ପୂର୍ବ କୋଣରେ ଅବସ୍ଥିତ । ୫୫ ଫୁଟ ଲମ୍ବର ସ୍ନାନ ମଣ୍ଡପ । ମହାପ୍ରଭୂ ଭାଇ ଭଉଣୀଙ୍କ ସହିତ ସ୍ନାନବେଦୀରେ ବିଜେ ହେଲା ପରେ ସୁନା ଗୋସ୍ୱାମୀ ସେବକ ଯାଇ ଉତ୍ତର ଦ୍ୱାରରେ ଶୀତଳାଙ୍କ ସମ୍ନୁଖରେ ଥିବା ସୁନା କୂଅରୁ ଜଳ ଉତ୍ତୋଳନ କରିଥାନ୍ତିା ପ୍ରଥମେ ମୁଦ୍ର ହସ୍ତ ସେବକ ସୁନା ଗୋସାଇଁଙ୍କ ଦ୍ୱାରା ଜଳ ଉତ୍ତୋଳନକରି ସେଠାରେ ଦୁଇ ଗଡୁ ଜଳ ରଖିଥାନ୍ତି । ତାପରେ ଗରାବଡୁ ସେବକମାନେ ସାମୁହିକ ଭାବରେ ୧୦୮ ଗରା ଜଳ ଆଣି ଆନନ୍ଦ ବଜାର ଭିତରେ ଥିବା ଗୋଟିଏ ଘେନାଣ ଘରେ ରଖିଥାନ୍ତି । ସେଥିରେ ଚାରି ପ୍ରକାର ଜିନିଷ ମିଶାଯାଏ । ଚନ୍ଦନ, କର୍ପୁର, ଚୁଆ ଏବଂ କେଶର ମିଶାଯାଏ ଯାହାକୁ ଦେଉଳ ଭାଷାରେ ଚଉସମ ବୋଲି କୁହାଯାଏ । ଯାହା ଘଟୁଆରୀ ସେବକଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ତାପରେ ଜଳାଧିବାଶ ହୁଏ ।
ଠାକୁରଙ୍କର ଯେଉଁ ନୀତିକୁ କେହି କେବେ ଦେଖିପାରନ୍ତି ନାହିଁ ସେଦିନ ସାରା ବିଶ୍ୱ ଦେଖିଥାଏ । ମହାପ୍ରଭୂଙ୍କ ତଡପଲାଗି ନୀତି କରାଯାଇଥାଏ । ତଡପଲାଗି ନୀତି ପରେ ଠାକୁର ପ୍ରତିଦିନ ଯେମିତି ସ୍ନାନ କରନ୍ତି ସେଇଭଳି ଭାବରେ ସ୍ନାନ କରନ୍ତି । ତାପରେ ମହାପ୍ରଭୂଙ୍କ ବେଶ ହୁଏ ଏବଂ ସ୍ୱତନ୍ତ୍ର ଭାବରେ ଜଳ ଭୋଗ କରାଯାଏ । ଏହାପରେ ସ୍ନାନ ପାଇଁ ଗଡାବରୁ ସେବାୟତଙ୍କ ଦ୍ୱାରା ବଢାଯାଇଥିବା ଜଳର ପୂଜା କରାଯାଏ ଏବଂ ଜଳ ପୂଜାପରେ ମହାପ୍ରଭୁ ସ୍ନାନ କରିଥାନ୍ତି । ଏମିତି କିଛି ରହିଥାଏ ମହାପ୍ରଭୂଙ୍କ ସ୍ନାନପୂର୍ଣ୍ଣିମାର ରୀତିନୀତି ।

You may also like

Leave a Comment