ନିଖୋଜ, ଶିଶୁ ଶ୍ରମରେ ନିୟୋଜିତ ଓ ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପିଲାଙ୍କୁ ଚିହ୍ନଟ; ୮୦ ଶିଶୁ ଓଡ଼ିଶା ଫେରିଲେ, ବାହାର ରାଜ୍ୟରେ ନିଖୋଜ, ଶିଶୁ ଶ୍ରମରେ ନିୟୋଜିତ କିମ୍ବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଥିବା ଓଡ଼ିଆ ଶିଶୁଙ୍କୁ ଚିହ୍ନଟ, ଉଦ୍ଧାର ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଚାଲିଥିବା ‘ଅପରେସନ୍ ଅନ୍ୱେଷଣ’ରେ ବଡ଼ ସଫଳତା ମିଳିଛି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିଥିବା ଏହି ବିଶେଷ ଅଭିଯାନରେ ୧୭ଟି ରାଜ୍ୟରୁ ମୋଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରାଯାଇଛି।
ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରେ ୫୪ ଜଣ ବାଳକ ଏବଂ ୪୭ ଜଣ ବାଳିକା ରହିଛନ୍ତି। ଏଥିପାଇଁ ଓଡ଼ିଶା ପୋଲିସର ଡିଏସ୍ପି ପାହ୍ୟାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନଙ୍କୁ ନେଇ ୧୭ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଏହି ଟିମ୍ଗୁଡ଼ିକ ଅଭିଯାନ ଚଳାଇଥିଲେ।
ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡରୁ ୧୦ ଏବଂ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ସ୍ଥାନୀୟ ପୋଲିସର ସହଯୋଗରେ ବିଭିନ୍ନ ଲେବର ସାଇଟ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ଯାଞ୍ଚ ଓ ଚଢ଼ାଉ କରାଯାଇ ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା।
ଅଭିଯାନରେ ପୂର୍ବରୁ ଅପହରଣ ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ୧୧ ଜଣ ନିଖୋଜ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ପୁଅ ଓ ୯ ଜଣ ଝିଅ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ୭ ଜଣ ଶିଶୁଙ୍କୁ ମଧ୍ୟ ମୁକ୍ତ କରାଯାଇଛି।
ବିଭିନ୍ନ Child Care Institution (CCI)ରେ ରହୁଥିବା ୮୩ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ ଓଡ଼ିଶା ଫେରାଇ ଆଣାଯାଇଛି। ଅନ୍ୟ ଶିଶୁମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ବାହାର ରାଜ୍ୟରେ ଅସୁରକ୍ଷିତ ଅବସ୍ଥାରେ ରହୁଥିବା ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ଉଦ୍ଧାର କରିବା, ଆଇନସମ୍ମତ ସୁରକ୍ଷା ଓ ପୁନର୍ବାସ ବ୍ୟବସ୍ଥା କରିବା ଏବଂ ସମ୍ଭବ ହେଲେ ସେମାନଙ୍କୁ ପରିବାର ସହ ପୁନର୍ମିଳନ କରାଇବା ‘ଅପରେସନ୍ ଅନ୍ୱେଷଣ’ର ପ୍ରମୁଖ ଲକ୍ଷ୍ୟ। ଏହି ଅଭିଯାନ ଶିଶୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ପୋଲିସ ଓ ସମ୍ପୃକ୍ତ ବିଭାଗଙ୍କ ସମନ୍ୱିତ ପଦକ୍ଷେପର ଏକ ବଡ଼ ଉଦାହରଣ ହୋଇଛି।
