ଅନ୍ତର୍ଜାତୀୟ ବଜାରରେ ଆଜି ଅଶୋଧିତ ତୈଳର ଦର କମିଛି। ବ୍ରେଣ୍ଟ କ୍ରୁଡ୍ର ଦର ୧ ପ୍ରତିଶତରୁ ଅଧିକ ହ୍ରାସ ପାଇ ବ୍ୟାରେଲ ପିଛା ୭୨.୪୦ ଡଲାରକୁ ଖସି ଆସିଛି। ସେହିପରି WTI କ୍ରୁଡ୍ର ଦର ୦.୮୩ ପ୍ରତିଶତ କମି ବ୍ୟାରେଲ ପିଛା ୭୦.୧୬ ଡଲାରରେ ପହଞ୍ଚିଛି।
ଦୋହାରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଆଗକୁ ବଢ଼ୁଥିବା ଖବର ପରେ ହର୍ମୁଜ୍ ଜଳସନ୍ଧି ଦେଇ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା କମିଛି। ଏହାର ପ୍ରଭାବରେ ଅଶୋଧିତ ତୈଳର ଦର ହ୍ରାସ ପାଇଛି।
ତେବେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ଶସ୍ତା ହୋଇଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ବଡ଼ ସହରରେ ପେଟ୍ରୋଲ ଦର ଏବେ ମଧ୍ୟ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଛି। ଡିଜେଲ ଦର ମଧ୍ୟ ଲିଟର ପିଛା ୯୫ରୁ ୯୯ ଟଙ୍କା ମଧ୍ୟରେ ରହିଛି।
କ୍ରୁଡ୍ ଅଏଲ ଦର କମିବା ପରେ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ବର୍ତ୍ତମାନ ଲାଭରେ ରହିଛନ୍ତି। ଅଶୋଧିତ ତୈଳ ବ୍ୟାରେଲ ପିଛା ୭୨.୪୦ ଡଲାରକୁ ଖସି ଆସିବା ପରେ ପେଟ୍ରୋଲ ବିକ୍ରିରେ ପ୍ରତି ଲିଟରକୁ ପ୍ରାୟ ୫ରୁ ୭ ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିବା କୁହାଯାଇଛି। ଭବିଷ୍ୟତରେ କ୍ରୁଡ୍ ଅଏଲ ଦର ଆହୁରି କମିଲେ କମ୍ପାନୀଗୁଡ଼ିକର ଲାଭ ମଧ୍ୟ ବଢ଼ିବ।
ଏହି ମଧ୍ୟରେ ବ୍ରୋକରେଜ୍ ସଂସ୍ଥା JP ମର୍ଗାନ୍ କହିଛି ଯେ, ଅଶୋଧିତ ତୈଳର ଦର ହ୍ରାସ ପାଉଥିବାରୁ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକର ଫ୍ୟୁଏଲ୍ ମାର୍ଜିନ୍ ଆହୁରି ସୁଦୃଢ଼ ହେବ ଏବଂ ଲାଭ ବଢ଼ିବାର ସମ୍ଭାବନା ରହିଛି। ତେବେ ବଢ଼ୁଥିବା ଋଣ ଓ ଭବିଷ୍ୟତରେ ଇନ୍ଧନ ଉପରେ ଟିକସକୁ ନେଇ ଅନିଶ୍ଚିତତା ଦୀର୍ଘମିଆଦିରେ କମ୍ପାନୀଗୁଡ଼ିକର ଆୟ ଉପରେ ପ୍ରଭାବ ପକାଇପାରେ।
ଗତ ମେ ମାସରେ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିବା ଯୋଗୁଁ କ୍ରୁଡ୍ ଅଏଲ ଦର ବ୍ୟାରେଲ ପିଛା ୧୦୦ରୁ ୧୨୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା। ସେହି ସମୟରେ ସରକାରୀ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲରେ ପ୍ରତି ଲିଟର ୧୨ ଟଙ୍କା ଓ ଡିଜେଲରେ ପ୍ରତି ଲିଟର ୨୧ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଥିଲା।
ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମୁଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କାହିଁକି କମୁନାହିଁ, ତାହାର ମଧ୍ୟ କାରଣ ରହିଛି। ମଧ୍ୟ ପୂର୍ବରେ ଉତ୍ତେଜନା ବଢ଼ିଥିବା ସମୟରେ କମ୍ପାନୀଗୁଡ଼ିକ ଇନ୍ଧନ ଦର ବଢ଼ାଇନଥିଲେ। ବର୍ତ୍ତମାନ ମିଳୁଥିବା ଲାଭକୁ ସେମାନେ ପୂର୍ବରୁ ହୋଇଥିବା କ୍ଷତି ଓ ଋଣ କମାଇବାରେ ବ୍ୟବହାର କରୁଛନ୍ତି। ଏହାଛଡ଼ା ବର୍ତ୍ତମାନ ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ଇନ୍ଧନ ପୂର୍ବରୁ ଅଧିକ ଦରରେ କିଣାଯାଇଥିବା କ୍ରୁଡ୍ରୁ ପ୍ରସ୍ତୁତ ହୋଇଥିବାରୁ ନୂଆ ଶସ୍ତା ଷ୍ଟକ୍ ଆସିବା ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କମ୍ ରହିଛି।
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ କହିବା ଅନୁସାରେ, ଯଦି ଦୋହାରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ସଫଳ ହୁଏ ଏବଂ ଅନ୍ତର୍ଜାତୀୟ ବଜାରରେ ଦୀର୍ଘ ସମୟ ଧରି ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୭୦ ଡଲାରରୁ କମ୍ ରହେ, ତେବେ ଆଗାମୀ କିଛି ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ରୁ ୩ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ।
