Home Featuredସିଉଟାରେ ପ୍ରବାସୀଙ୍କ ଢଳ, ସୀମା ସୁରକ୍ଷା ପାଇଁ ସେନା ମୁତୟନ କଲା ସ୍ପେନ୍‌

ସିଉଟାରେ ପ୍ରବାସୀଙ୍କ ଢଳ, ସୀମା ସୁରକ୍ଷା ପାଇଁ ସେନା ମୁତୟନ କଲା ସ୍ପେନ୍‌

by Lokanath Panigrahi
0 comments

ନୂଆଦିଲ୍ଲୀ: ଆଫ୍ରିକା ଉପକୂଳରେ ଅବସ୍ଥିତ ସ୍ପେନ୍‌ର ସ୍ୱୟଂଶାସିତ ସହର ସିଉଟାରେ ପୁଣିଥରେ ବଡ଼ ଧରଣର ପ୍ରବାସୀ ସଙ୍କଟ ସୃଷ୍ଟି ହୋଇଛି। ମରକ୍କୋ ସୀମା ଦେଇ ବିପୁଳ ସଂଖ୍ୟକ ପ୍ରବାସୀ ସହରକୁ ପ୍ରବେଶ କରିବା ପରେ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ୟୁରୋପର ବାହ୍ୟ ସୀମା ସୁରକ୍ଷା ଏବଂ ପ୍ରବାସୀ ନୀତି ଉପରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ପ୍ରାୟ ୫୦ ହଜାର ପ୍ରବାସୀ ବିଭିନ୍ନ ଉପାୟରେ ସିଉଟାରେ ପହଞ୍ଚିଛନ୍ତି। କେତେକ ଲୋକ ସମୁଦ୍ର ପଥ ଦେଇ ଆସିଥିବା ବେଳେ, ଅନ୍ୟମାନେ ସୀମା ବାଡ଼ ଅତିକ୍ରମ କରି ସହରକୁ ପ୍ରବେଶ କରିଛନ୍ତି। ଏହି ବିପଦପୂର୍ଣ୍ଣ ଯାତ୍ରା ସମୟରେ ଅତି କମରେ ୧୮ ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି।

ପ୍ରବାସୀଙ୍କ ସଂଖ୍ୟା ହଠାତ୍ ବଢ଼ିଯିବାରୁ ସହରର ଆଶ୍ରୟ କେନ୍ଦ୍ରଗୁଡ଼ିକ କ୍ଷମତାଠାରୁ ଅଧିକ ଭର୍ତ୍ତି ହୋଇପଡ଼ିଛି। ଅନେକ ଲୋକଙ୍କୁ ଖୋଲା ଆକାଶ ତଳେ କିମ୍ବା ରାସ୍ତାକଡ଼ରେ ରାତି କାଟିବାକୁ ପଡ଼ୁଥିବା ଜଣାପଡ଼ିଛି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ପେନ୍ ସରକାର ସେନା ସହ ନୌସେନା ଓ ବାୟୁସେନାକୁ ମଧ୍ୟ ସକ୍ରିୟ କରିଛନ୍ତି। ସମୁଦ୍ରପଥରେ ନଜରଦାରି ବଢ଼ାଇବା ସହ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ପାଇଁ ବିଶେଷ ଡାଇଭିଂ ଟିମ୍‌ ନିୟୋଜିତ କରାଯାଇଛି।

ସିଉଟା ଆଫ୍ରିକାରେ ଅବସ୍ଥିତ ହେଲେ ମଧ୍ୟ ସ୍ପେନ୍‌ର ଅଂଶ ହୋଇଥିବାରୁ ୟୁରୋପକୁ ପ୍ରବେଶ କରିବାର ଏକ ପ୍ରମୁଖ ମାର୍ଗ ଭାବେ ପରିଚିତ। ଆର୍ଥିକ ଅସୁବିଧା, ବେକାରି, ସଂଘର୍ଷ ଓ ଅସୁରକ୍ଷିତ ପରିସ୍ଥିତିରୁ ମୁକ୍ତି ଆଶାରେ ପ୍ରତିବର୍ଷ ହଜାର ହଜାର ଲୋକ ଏହି ବିପଦପୂର୍ଣ୍ଣ ରାସ୍ତା ବାଛୁଛନ୍ତି।

ଏହି ଘଟଣା ପରେ ୟୁରୋପର ପ୍ରବାସନ ନୀତି ଓ ଖୋଲା ସୀମା ବ୍ୟବସ୍ଥାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଛି। ବିଭିନ୍ନ ୟୁରୋପୀୟ ନେତା ସୀମା ସୁରକ୍ଷାକୁ ଆହୁରି କଡ଼ା କରିବା ଏବଂ ଅବୈଧ ଅନୁପ୍ରବେଶ ରୋକିବା ପାଇଁ କଠୋର ପଦକ୍ଷେପ ନେବା ସପକ୍ଷରେ ମତ ପ୍ରକାଶ କରୁଛନ୍ତି।

You may also like

Leave a Comment