Home Uncategorizedଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ

ଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ

by Lokanath Panigrahi
0 comments

ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ବିବାଦ, ଗତକାଲି ରାତିରୁ ବନ୍ଦ ନୀତିକାନ୍ତି

ଭୁବନେଶ୍ୱର: ପୁଣି ଥରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି। ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ସେବାକୁ ନେଇ ବିବାଦ ଉପୁଜିବା ପରେ ଗତକାଲି ରାତି ପ୍ରାୟ ୧୧ଟାରୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ବନ୍ଦ ରହିଛି। ନୀତି ବନ୍ଦ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଉପବାସରେ ଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମଧ୍ୟ ନିରାଶ ହୋଇଛନ୍ତି।

ନୀତିକାନ୍ତି ବନ୍ଦ ହେବା ପରେ ବିବାଦର ସମାଧାନ ପାଇଁ ଉଭୟ ନିଯୋଗକୁ ନେଇ ବୈଠକ ଡାକିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଜେନା। ଉଭୟ ପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ନୀତିକାନ୍ତି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି।

ସେବାକୁ ନେଇ ଉଭୟ ନିଯୋଗ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ବ୍ରାହ୍ମଣ ନିଯୋଗର ଅଭିଯୋଗ ଅନୁସାରେ, ପୁଷ୍ପାଞ୍ଜଳି ସେବା ସେମାନେ ଦୀର୍ଘ ବର୍ଷ ଧରି କରିଆସୁଥିଲେ। ତେବେ ହଠାତ୍ ପୂଜାପଣ୍ଡା ନିଯୋଗ ଏହି ସେବା କରିବାକୁ ଦାବି କରିବାରୁ ବିବାଦ ସୃଷ୍ଟି ହୋଇଛି। ବୈଠକ ସମୟରେ ମଧ୍ୟ ଦୁଇ ନିଯୋଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଓ ହୋହାଲ୍ଲା ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପୂଜାପଣ୍ଡା ନିଯୋଗର ଅଭିଯୋଗ ହେଉଛି, ମନ୍ଦିରରେ ପ୍ରତିଦିନ ରାତିରେ ହେଉଥିବା ସମ୍ପୃକ୍ତ ନୀତିକାନ୍ତି ସେମାନେ ପ୍ରାୟ ୪୦ ବର୍ଷ ଧରି କରିଆସୁଛନ୍ତି। କିନ୍ତୁ ଗତକାଲି ରାତିରେ ବ୍ରାହ୍ମଣ ନିଯୋଗ ଏହି ନୀତି କରିବାକୁ ଦାବି କରିବାରୁ ବିବାଦ ଦେଖାଦେଇଥିବା ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି।

ଦୁଇ ନିଯୋଗ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ତୀବ୍ର ହେବା ପରେ ଏହାର ପ୍ରଭାବ ମନ୍ଦିରର ନୀତିକାନ୍ତି ଉପରେ ପଡ଼ିଛି। ଫଳରେ ଗତକାଲି ରାତିରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବ୍ୟାଘାତ ଘଟିଥିଲା। ଶ୍ରାବଣ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ହେବାରୁ ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହୋଇଥିଲା। ଏବେ ପୁଣି ଦୁଇ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଅଚଳ ହୋଇପଡ଼ିଛି।

You may also like

Leave a Comment