ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ରେ ଇବୋଲା ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କିଛି ଅଞ୍ଚଳରେ ସଂକ୍ରମଣ କମୁଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଏହା ଦ୍ରୁତ ବଢ଼ିବା ସହ ନୂଆ ଅଞ୍ଚଳକୁ ବ୍ୟାପୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସ୍ଥିତିକୁ “ଅତ୍ୟନ୍ତ ବିବିଧ” ମହାମାରୀ ବୋଲି ବର୍ଣ୍ଣନା କରିଛି।
WHOର ସଦ୍ୟତମ ସ୍ଥିତି ରିପୋର୍ଟ ଅନୁସାରେ, ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ମଧ୍ୟରେ ନିଶ୍ଚିତ ଇବୋଲା ମୃତ୍ୟୁର ୭୫ ପ୍ରତିଶତ ହସ୍ପିଟାଲ କିମ୍ବା ଚିକିତ୍ସା କେନ୍ଦ୍ର ବାହାରେ ସମୁଦାୟ ମଧ୍ୟରେ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଏହି ହାର ୫୬.୬ ପ୍ରତିଶତ ଥିଲା। ଏହା ମହାମାରୀ ସମୟରେ ସର୍ବାଧିକ ସାପ୍ତାହିକ ହାର ବୋଲି WHO କହିଛି।
ସମୟୋଚିତ ଚିକିତ୍ସା ନମିଳିବା ଏହି ବୃଦ୍ଧିର ଏକ ପ୍ରମୁଖ କାରଣ ହୋଇପାରେ। ରୋଗ ଚିହ୍ନଟ ଓ ରିପୋର୍ଟିଂରେ ବିଳମ୍ବ, ରୋଗୀଙ୍କୁ ଚିକିତ୍ସା କେନ୍ଦ୍ରକୁ ନେବାରେ ସମସ୍ୟା, ଲକ୍ଷଣର ଗମ୍ଭୀରତା ବିଷୟରେ ଅଜ୍ଞତା, ଭୌଗୋଳିକ ଦୂରତା ଓ ପରିବହନ ସମସ୍ୟା ଏଥିପାଇଁ ଦାୟୀ ହୋଇପାରେ। ଏହା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିକିତ୍ସା ବ୍ୟବସ୍ଥା ପ୍ରତି ଭରସା ଓ ସ୍ୱୀକୃତିର ଅଭାବ ମଧ୍ୟ ଏକ କାରଣ ହୋଇପାରେ।
ଟିକାକରଣ କ୍ଷେତ୍ରରେ Ervebo ଟିକା ବର୍ତ୍ତମାନ ମୂଲ୍ୟାୟନ କରାଯାଉଛି। ଚଳିତ ଇବୋଲା ପ୍ରକୋପ ପାଇଁ ଦାୟୀ Bundibugyo ଷ୍ଟ୍ରେନ୍ ବିରୋଧରେ ଏହି ଟିକା କେତେ ମାତ୍ରାରେ ସୁରକ୍ଷା ଦେଇପାରିବ, ସେନେଇ ଫିଲ୍ଡ ଷ୍ଟଡି ଚାଲିଛି। ଅଗଷ୍ଟ ୨୭ରୁ ସମ୍ମୁଖ ଧାଡ଼ିର ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ବିପଦପୂର୍ଣ୍ଣ ଗୋଷ୍ଠୀଙ୍କୁ ଟିକା ଦିଆଯାଉଛି। ସେପ୍ଟେମ୍ବର ୬ ସୁଦ୍ଧା ୨,୦୦୭ ଜଣ ସ୍ୱାସ୍ଥ୍ୟ ଓ ଫ୍ରଣ୍ଟଲାଇନ୍ କର୍ମୀଙ୍କୁ ଟିକା ଦିଆଯାଇଛି।
ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ୬,୬୮୬ ନିଶ୍ଚିତ ମାମଲା ଓ ୩,୨୨୬ ନିଶ୍ଚିତ ମୃତ୍ୟୁ ରେକର୍ଡ ହୋଇଛି। ନିଶ୍ଚିତ ଓ ସମ୍ଭାବ୍ୟ ମାମଲାକୁ ମିଶାଇ ମୃତ୍ୟୁହାର ୪୮.୩ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ମଧ୍ୟ ସଂକ୍ରମଣ ଚିନ୍ତା ବଢ଼ାଇଛି। ଏପର୍ଯ୍ୟନ୍ତ ୧୬୭ ଜଣ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ, ଯେଉଁଥିରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି।
DRC ଭିତରେ ଇବୋଲାର ଅଧିକ ବ୍ୟାପକ ସଂକ୍ରମଣର ଆଶଙ୍କାକୁ WHO “ଅତ୍ୟନ୍ତ ଅଧିକ” ଏବଂ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ବିପଦକୁ “ଅଧିକ” ବୋଲି ଆକଳନ କରିଛି।
ଅଗଷ୍ଟ ୧୮ରେ ଅନୁଷ୍ଠିତ ଦ୍ୱିତୀୟ International Health Regulations Emergency Committee ବୈଠକରେ ମଧ୍ୟ କୁହାଯାଇଥିଲା ଯେ ଏହି ପ୍ରକୋପ ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିନାହିଁ। ଏହା Public Health Emergency of International Concern ଭାବେ ଜାରି ରହିଛି।
ମେ’ରେ ଘୋଷିତ ଏହି ପ୍ରକୋପ DRCରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଓ ଘାତକ ଇବୋଲା ପ୍ରକୋପ ହୋଇଥିବା ବେଳେ, ବିଶ୍ୱସ୍ତରରେ ୨୦୧୪-୧୬ ପଶ୍ଚିମ ଆଫ୍ରିକା ଇବୋଲା ପରେ ଏହା ଦ୍ୱିତୀୟ ବୃହତ୍ତମ ପ୍ରକୋପ ବୋଲି ରିପୋର୍ଟରେ କୁହାଯାଇଛି।
