Home Featuredଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

by Sunita Jena
0 comments

ଭୁବନେଶ୍ୱର ଡିସିପି ପଦରୁ ବିଦାୟ, ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀଙ୍କ ସେବାରେ ଅବସାନ

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ସେପ୍ଟେମ୍ବର ୧୧ ତାରିଖରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଏହା ସହିତ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଜଗମୋହନ ମୀନାଙ୍କ ପ୍ରାୟ ୧୩ ବର୍ଷର ସର୍ବଭାରତୀୟ ପୁଲିସ ସେବାର ଅନ୍ତ ଘଟିଛି। ୨୦୨୫ ଫେବ୍ରୁଆରି ୨୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରାୟ ଦେଢ଼ ବର୍ଷ ଦାୟିତ୍ୱରେ ରହିବା ପରେ ଗତ ଜୁଲାଇରେ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।

ମୀନାଙ୍କ ଆବେଦନ ଉପରେ କିଛି ସମୟ ଧରି ନିଷ୍ପତ୍ତି ହୋଇନଥିବାରୁ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲା। ରାଜ୍ୟ ସରକାର ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ବୁଝାଉଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ଶେଷରେ ସେ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ଅଗଷ୍ଟ ୨୭ରେ ରାଜ୍ୟ ସରକାର ଇସ୍ତଫା ଗ୍ରହଣ କରିବା ସହ ଆବଶ୍ୟକ ଏନ୍‌ଓସି ପାଇଁ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟକୁ ପଠାଇଥିଲେ। ଜଗମୋହନ ମୀନା ରାଜସ୍ଥାନର ସିକର ଜିଲ୍ଲାର ବାସିନ୍ଦା। ଶିକ୍ଷା କ୍ଷେତ୍ରରେ ତାଙ୍କର ଭଲ ରେକର୍ଡ ରହିଥିବା ବେଳେ ସେ ଆଇଆଇଟି କାନପୁରରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ବିଟେକ୍‌ ଓ ଏମ୍‌ଟେକ୍‌ ଶିକ୍ଷା ହାସଲ କରିଥିଲେ। ପରେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇ ୨୦୧୩ରେ ଆଇପିଏସ୍‌ରେ ଯୋଗ ଦେଇଥିଲେ।

ପ୍ରଶିକ୍ଷଣ ପରେ ତାଙ୍କର ପ୍ରଥମ ନିଯୁକ୍ତି କଳାହାଣ୍ଡିରେ ଏସ୍‌ଡିପିଓ ଭାବେ ହୋଇଥିଲା। ପରବର୍ତ୍ତୀ ସମୟରେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମ ଭଳି ଜିଲ୍ଲାରେ ଏସ୍‌ପି ଦାୟିତ୍ୱ ତୁଲାଇଥିଲେ। ବିଶେଷକରି ମାଲକାନଗିରି ଭଳି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଆଭ୍ୟନ୍ତରୀଣ ସୁରକ୍ଷା ଓ ନକ୍ସଲ ବିରୋଧୀ ଅଭିଯାନରେ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଥିଲା। ପରେ ସେ କଟକ ଡିସିପି ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ। ଏହାପରେ ୨୦୨୫ ଫେବ୍ରୁଆରିରେ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ ହୋଇଥିଲେ।

ମାତ୍ର ୩୭ ବର୍ଷ ବୟସରେ ଆଇପିଏସ୍‌ ଚାକିରି ଛାଡ଼ିବା ନିଷ୍ପତ୍ତି ଚର୍ଚ୍ଚାର କାରଣ ପାଲଟିଥିଲା। ତାଙ୍କ ଇସ୍ତଫା ପଛରେ କାମର ଚାପ, ରାଜନୈତିକ ହସ୍ତକ୍ଷେପ କିମ୍ବା ଅନ୍ୟ କୌଣସି କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଥିଲା। ତେବେ ମୀନା ନିଜେ ଏଭଳି ଆଲୋଚନାକୁ ଖଣ୍ଡନ କରିଥିଲେ। ତାଙ୍କ ନିଷ୍ପତ୍ତି ପଛରେ କୌଣସି ବାହ୍ୟ କିମ୍ବା ରାଜନୈତିକ ଚାପ ନଥିବା ଏବଂ ପରିବାର ଓ ନିକଟତମ ବନ୍ଧୁଙ୍କ ସହ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଥିବା ସେ କହିଥିଲେ।

You may also like

Leave a Comment