Home Featured୧୦୫ କିଲୋ ଚନ୍ଦନ କାଠ ଜବତ, ୩ ଗିରଫ

୧୦୫ କିଲୋ ଚନ୍ଦନ କାଠ ଜବତ, ୩ ଗିରଫ

by Sunita Jena
0 comments

ଚନ୍ଦନ କାଠ ଚୋରାଚାଲାଣ ବିରୋଧରେ ଗଜପତି ଜିଲ୍ଲା କାଶୀନଗର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରୁ ଏକ ଅଟୋରେ ଚାଲାଣ ହେଉଥିବା ପ୍ରାୟ ୧୦୫ କିଲୋ ଚନ୍ଦନ କାଠ ପୁଲିସ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଚନ୍ଦନ କାଠ ପରିବହନରେ ବ୍ୟବହୃତ ଅଟୋକୁ ଜବତ କରିଛି। ଏଥିସହ ୩ଟି ମୋବାଇଲ୍‌ ଫୋନ୍‌ ଓ ୪ ହଜାର ଟଙ୍କା ନଗଦ ମଧ୍ୟ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ, କାଶୀନଗର ଥାନା ଏସ୍‌ଆଇ ଆର୍‌.କେ. ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସ ଗାଡ଼ି ଉପରେ ନଜର ରଖିଥିଲା।

ଅଟୋଟି ଘଟଣାସ୍ଥଳ ଦେଇ ଯିବାବେଳେ ପୁଲିସ ତାହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ପୁଲିସକୁ ଦେଖି ଚାଳକ ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରିଥିଲେ। ପରେ ପୁଲିସ ତାଙ୍କୁ କାବୁ କରି ଅଟୋରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ୫ଟି ବ୍ୟାଗ୍‌ ଭିତରୁ ଚନ୍ଦନ କାଠ ମିଳିଥିଲା। ଓଜନ ପରେ ମୋଟ ୧୦୫ କିଲୋ ଚନ୍ଦନ କାଠ ଥିବା ଜଣାପଡ଼ିଥିଲା।

ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ସିରାଜ ଖାନ୍‌ ଓ ଆକ୍ରମ ଖାନ୍‌ ଏବଂ ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳର ଦାମୋଦର ପ୍ରଧାନ ରହିଛନ୍ତି। ଏହି ଘଟଣାରେ କାଶୀନଗର ଥାନାରେ ମାମଲା ରୁଜୁ ହୋଇଛି। ଏସ୍‌ଆଇ ପଞ୍ଚାନନ ବେହେରା ମାମଲାର ତଦନ୍ତ କରୁଛନ୍ତି। ଚନ୍ଦନ କାଠ କେଉଁ ସ୍ଥାନରୁ ଆସିଥିଲା ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯାଉଥିଲା, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

You may also like

Leave a Comment