Home Featured₹୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

₹୬ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

by Sunita Jena
0 comments

ପାଇକାରୀ ଔଷଧ ବ୍ୟବସାୟ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବା ବଦଳରେ ଲାଞ୍ଚ ନେବା ଅଭିଯୋଗରେ ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଂସଦା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀଙ୍କଠାରୁ ₹୬ ହଜାର ନେଉଥିବା ସମୟରେ ଅଧିକାରୀଙ୍କୁ ଧରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ପାଇକାରୀ ଔଷଧ ଦୋକାନ ଖୋଲିବା ପାଇଁ ଗତ ୨୦୨୫ ମସିହା ମେ’ ମାସରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହାପରେ ଆବେଦନର ଅନୁମୋଦନ ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଏକାଧିକ ଥର ଯୋଗାଯୋଗ କରିଥିଲେ। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ପ୍ରକ୍ରିୟାକୁ ବିଳମ୍ବ କରାଯାଉଥିବା ତାଙ୍କ ଅଭିଯୋଗ।

ଶେଷରେ ପ୍ରମାଣପତ୍ର ପ୍ରଦାନ ପାଇଁ ₹୬ ହଜାର ଟଙ୍କା ଦାବି କରାଯାଇଥିବା ଅଭିଯୋଗ ନେଇ ସେ ଭିଜିଲାନ୍ସରେ ଜଣାଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା।ଟଙ୍କା ଦେବା ପାଇଁ ଆବେଦନକାରୀ ପ୍ରଥମେ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଅଧିକାରୀଙ୍କୁ ନପାଇ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଏହାପରେ ତାଙ୍କୁ ଜାତୀୟ ରାଜପଥ-୫୩ ସଂଲଗ୍ନ ଏକ ନିର୍ଦ୍ଧାରିତ ସ୍ଥାନକୁ ଡକାଯାଇଥିଲା।

ସେଠାରେ ଏକ ୱାଗନ୍‌ଆର୍‌ କାର୍‌ ଭିତରେ ଆବେଦନକାରୀଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କୁ କାବୁ କରିଥିଲା।ଏହି ଘଟଣା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆଗକୁ ବଢ଼ାଯାଉଛି। ଘଟଣା ସହ ଜଡ଼ିତ ଅନ୍ୟାନ୍ୟ ଦିଗ ଏବଂ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି।

You may also like

Leave a Comment