Home SPORTSମହିଳା ଏସିଆ କପ୍‌ରେ ଭାରତର ଅଷ୍ଟମ ମୁକୁଟ, ଶ୍ରୀଲଙ୍କାକୁ ୭୨ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ମହିଳା ଏସିଆ କପ୍‌ରେ ଭାରତର ଅଷ୍ଟମ ମୁକୁଟ, ଶ୍ରୀଲଙ୍କାକୁ ୭୨ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

by Sunita Jena
0 comments

ମହିଳା ଏସିଆ କପ୍‌ କ୍ରିକେଟ୍‌ରେ ପୁଣି ଥରେ ଭାରତର ଦବଦବା। ଶ୍ରୀଲଙ୍କାକୁ ଫାଇନାଲ୍‌ରେ ୭୨ ରନ୍‌ରେ ପରାସ୍ତ କରି ଭାରତୀୟ ମହିଳା ଦଳ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଟ୍ରଫି ନିଜ ନାଁରେ କରିଛି। ହର୍ମନପ୍ରୀତ୍‌ କୌରଙ୍କ ନେତୃତ୍ୱରେ ଭାରତ ଫାଇନାଲ୍‌ରେ ଆରମ୍ଭରୁ ହିଁ ଶ୍ରୀଲଙ୍କା ଉପରେ ଚାପ ସୃଷ୍ଟି କରିଥିଲା। ଟସ୍‌ ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୧୮୩ ରନ୍‌ର ଦୃଢ଼ ସ୍କୋର ଛିଡ଼ା କରିଥିଲା। ଭାରତର ଇନିଂସ୍‌କୁ ମଜବୁତ ଆରମ୍ଭ ଦେଇଥିଲେ ଓପନର୍‌ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା। ଦୁହେଁ ପ୍ରଥମ ୱିକେଟ୍‌ରେ ୧୨.୫ ଓଭରରେ ୧୨୯ ରନ୍‌ ଯୋଡ଼ି ଭାରତ ପାଇଁ ବଡ଼ ସ୍କୋରର ଭିତ୍ତି ପକାଇଥିଲେ।

ଶେଫାଳି ମାତ୍ର ୩୯ ବଲ୍‌ରେ ୬୮ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଥିଲେ। ତାଙ୍କ ବ୍ୟାଟ୍‌ରୁ ୯ଟି ଚୌକା ଓ ୨ଟି ଛକା ଆସିଥିଲା। ଅନ୍ୟପଟେ ସ୍ମୃତି ମଧ୍ୟ ୩୯ ବଲ୍‌ରୁ ୫୯ ରନ୍‌ କରିଥିଲେ। ସେ ୫ଟି ଚୌକା ସହ ୫ଟି ଛକା ମାରିଥିଲେ। ଓପନିଂ ଯୋଡ଼ି ଭାଙ୍ଗିବା ପରେ ହର୍ମନପ୍ରୀତ୍‌ କୌର ୧୪ ରନ୍‌ ଏବଂ ରିଚା ଘୋଷ ୧୭ ରନ୍‌ ଯୋଗ କରିଥିଲେ। ପ୍ରତୀକା ରାୱଲଙ୍କ ସ୍ଥାନରେ ସୁଯୋଗ ପାଇଥିବା ଗୁନଲନ କମଳିନୀ ମଧ୍ୟ ଶେଷ ଓଭରରେ ଦ୍ରୁତ ୧୫ ରନ୍‌ କରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ମିତାଲି ଅଯୋଧ୍ୟା, ଚମାରି ଆଟାପାଟ୍ଟୁ ଓ ଚାମୁଡ଼ି ପ୍ରବୋଧା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୮୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା। ନିର୍ଦ୍ଧାରିତ ୨୦ ଓଭର ଖେଳି ଶ୍ରୀଲଙ୍କା ୧୧୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନାୟିକା ଚମାରି ଆଟାପାଟ୍ଟୁ ୩୬ ରନ୍‌ କରି ଦଳର ସ୍କୋରକୁ କିଛି ସମୟ ପାଇଁ ଆଶା ଦେଇଥିଲେ, କିନ୍ତୁ ଅନ୍ୟ ବ୍ୟାଟରମାନେ ଭାରତୀୟ ବୋଲିଂକୁ ସାମ୍ନା କରିପାରିନଥିଲେ। ଭାରତ ପାଇଁ ଶ୍ରୀ ଚାରଣୀ ସବୁଠାରୁ ସଫଳ ବୋଲର ହୋଇଥିଲେ। ସେ ୪ଟି ୱିକେଟ୍‌ ନେଇ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍‌କୁ ଭାଙ୍ଗି ଦେଇଥିଲେ। ଦୀପ୍ତି ଶର୍ମାଙ୍କୁ ୩ଟି ୱିକେଟ୍‌ ମିଳିଥିବା ବେଳେ କ୍ରାନ୍ତି ଗୌଡ଼, ଶେଫାଳି ବର୍ମା ଓ ପ୍ରେମା ରାୱତ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଏହି ବିଜୟ ସହ ଭାରତ ମହିଳା ଏସିଆ କପ୍‌ରେ ନିଜର ଅଷ୍ଟମ ଟାଇଟଲ୍‌ ହାସଲ କରିଛି। ଫାଇନାଲ୍‌ ପରେ ପୁରସ୍କାର ବିତରଣୀକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏସିସି ଓ ପିସିବି ମୁଖ୍ୟ ମୋହସିନ ନକ୍‌ଭୀଙ୍କ ଠାରୁ ଭାରତୀୟ ଖେଳାଳିମାନେ ଟ୍ରଫି କିମ୍ବା ମେଡାଲ୍‌ ଗ୍ରହଣ କରିନଥିଲେ। ତେବେ ଚମତ୍କାର ଫିଲ୍ଡିଂ ପାଇଁ ନନ୍ଦିନୀ ଶର୍ମା ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କ ଠାରୁ ମେଡାଲ୍‌ ଗ୍ରହଣ କରିଥିଲେ। ମାଇଦାନରେ ଜବରଦସ୍ତ ବ୍ୟାଟିଂ, ଶାଣିତ ବୋଲିଂ ଓ ଚମତ୍କାର ଫିଲ୍ଡିଂର ସମନ୍ୱୟରେ ଭାରତ ଫାଇନାଲ୍‌କୁ ଏକତରଫା କରି ଏସିଆର ଶ୍ରେଷ୍ଠ ମହିଳା କ୍ରିକେଟ୍‌ ଦଳ ଭାବେ ପୁଣି ନିଜର ପ୍ରଭାବ ପ୍ରମାଣିତ କରିଛି।

You may also like

Leave a Comment