ତାମିଲନାଡୁର କରୁରରେ ହୋଇଥିବା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ମାମଲାକୁ ନେଇ ସୁପ୍ରିମ କୋର୍ଟରେ ହୋଇଥିବା ଶୁଣାଣିରେ ଡିଏମକେକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ବିଜୟ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ଭେଟି କ୍ଷତିପୂରଣ ଓ ଚାକିରି ଘୋଷଣା କରିବାକୁ ଯାଉଥିବା ବେଳେ ଏହାକୁ ରୋକିବା ପାଇଁ ଡିଏମକେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ସୁପ୍ରିମ କୋର୍ଟ ସେହି ଆବେଦନକୁ ଖାରଜ କରିଦେଇଛନ୍ତି।
ଶୁଣାଣି ସମୟରେ ସୁପ୍ରିମ କୋର୍ଟ କହିଛନ୍ତି ଯେ, କୌଣସି ମୁଖ୍ୟମନ୍ତ୍ରୀ କେଉଁ କାମ କରିବେ କିମ୍ବା କେଉଁଠାକୁ ଯିବେ, ତାହା କୋର୍ଟ ନିର୍ଦ୍ଧାରଣ କରିବେ ନାହିଁ। ଏହା ସହ ଡିଏମକେର ଓକିଲଙ୍କୁ କୋର୍ଟ କହିଥିଲେ ଯେ, ରାଜନୈତିକ ଲଢ଼େଇ ପାଇଁ କୋର୍ଟକୁ ମଞ୍ଚ କରନ୍ତୁ ନାହିଁ। ଯଦି ଟିଭିକେ ନେତାମାନେ କୌଣସି ବୟାନ ଦେଉଛନ୍ତି, ତେବେ ଡିଏମକେ ମଧ୍ୟ ତାହାର ରାଜନୈତିକ ଉତ୍ତର ଦେଇପାରିବ। ଏଭଳି ବିବାଦ କୋର୍ଟ ବାହାରେ ସମାଧାନ ହେବା ଉଚିତ।
ଡିଏମକେ ତାହାର ଆବେଦନରେ କହିଥିଲା ଯେ, ଗତ ବର୍ଷ ଟିଭିକେର ରାଲିରେ ଘଟିଥିବା ଦୁର୍ଘଟଣାର ତଦନ୍ତକୁ ପ୍ରଭାବିତ କରିବାର ଚେଷ୍ଟା ହେଉଛି। ମୁଖ୍ୟମନ୍ତ୍ରୀ ବିଜୟ କରୁର ଯାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଏବଂ ସରକାରୀ ଚାକିରି ଦେବାକୁ ଘୋଷଣା କରିବେ ବୋଲି ସୂଚନା ଥିଲା। ଏହାକୁ ନେଇ ଡିଏମକେ ବିରୋଧ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବରରେ କରୁରରେ ଟିଭିକେର ଏକ ରାଲି ସମୟରେ ଭିଡ଼ ନିୟନ୍ତ୍ରଣ ହାରାଇବାରୁ ଭୟାବହ ଦୁର୍ଘଟଣା ଘଟିଥିଲା। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମେ ଏହି ଘଟଣାର ତଦନ୍ତକୁ ବିଶେଷ ତଦନ୍ତ ଦଳକୁ ଦିଆଯାଇଥିଲେ ମଧ୍ୟ ପରେ ସୁପ୍ରିମ କୋର୍ଟ ଏହାକୁ ରାଜ୍ୟ ପୋଲିସ ହାତରୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେଇଥିଲେ। ଏହି ତଦନ୍ତ ଉପରେ କୋର୍ଟଙ୍କ ନଜର ମଧ୍ୟ ରହିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଜୟ ମୃତକଙ୍କ ପରିବାରଙ୍କୁ ଭେଟିବାକୁ ଯାଉଛନ୍ତି।
