Home » Blog » ଓଡ଼ିଶାରେ ଖୋଲିବ ଆଉ ୨ଟି ହୋମିଓପାଥିକ ମେଡିକାଲ କଲେଜ, ନୂଆପଡ଼ା ଓ ନୟାଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଓଡ଼ିଶାରେ ଖୋଲିବ ଆଉ ୨ଟି ହୋମିଓପାଥିକ ମେଡିକାଲ କଲେଜ, ନୂଆପଡ଼ା ଓ ନୟାଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

by Sunita Jena
0 comments

ରାଜ୍ୟରେ ହୋମିଓପାଥିକ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ପରିସର ବଢ଼ାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଦୁଇଟି ନୂତନ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ୱରସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ବ୍ରଜମୋହନ ରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଚାରୋଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ କାର୍ଯ୍ୟ କରୁଛି। ନୂଆ ଦୁଇଟି କଲେଜ ପ୍ରତିଷ୍ଠା ହେଲେ ଏହି କ୍ଷେତ୍ରରେ ଶିକ୍ଷା ଓ ଚିକିତ୍ସା ସୁବିଧା ଆହୁରି ବ୍ୟାପକ ହେବ। ଏଥିସହ ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏଠାରେ ରୋଗୀସେବା ଆରମ୍ଭ ହେବ। ବାଲେଶ୍ୱରରେ ମଧ୍ୟ ଏହି ଧରଣର ହସ୍ପିଟାଲ ନିର୍ମାଣ ଜାରି ରହିଛି।

ସେହିପରି ଆୟୁଷ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆୟୁର୍ବେଦ ସହିତ ହୋମିଓପାଥିକ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି।

ଆୟୁଷ ଶିକ୍ଷାକୁ ଆକର୍ଷଣୀୟ କରିବା ପାଇଁ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ କଲେଜର ପିଜି ଛାତ୍ରଛାତ୍ରୀ ଏବଂ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରାଯାଇଛି। ଏହା ସହିତ ବିଭିନ୍ନ ଆୟୁଷ ସେବା କ୍ୟାଡରର ପୁନର୍ଗଠନ, ବେତନ ଢାଞ୍ଚାରେ ପରିବର୍ତ୍ତନ ଏବଂ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି ଭଳି ପଦକ୍ଷେପ ନିଆଯାଇଛି।

ହୋମିଓପାଥିର ଭବିଷ୍ୟତ ବିକାଶ ପାଇଁ ଶିକ୍ଷା ସହିତ ଗବେଷଣା ଓ ଚିକିତ୍ସାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବୈଜ୍ଞାନିକ ଅଧ୍ୟୟନ, କ୍ଲିନିକାଲ ଗବେଷଣା ଓ ଚିକିତ୍ସାର ସୁରକ୍ଷାକୁ ପ୍ରାଥମିକତା ଦେଲେ ଏହି ଚିକିତ୍ସା ପଦ୍ଧତିର ଗୁଣାତ୍ମକ ବିକାଶ ସମ୍ଭବ ବୋଲି ସେ ମତ ରଖିଛନ୍ତି।

ରାଜ୍ୟରେ ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ ସେବାକୁ ଆହୁରି ମଜଭୁତ କରିବା ଦିଗରେ ସରକାର, ଶିକ୍ଷାନୁଷ୍ଠାନ ଓ ଚିକିତ୍ସକଙ୍କ ମିଳିତ ପ୍ରୟାସ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

You may also like

Leave a Comment