ଭୁବନେଶ୍ୱର ନିକଟରେ ପର୍ଯ୍ୟଟନ ଓ ମନୋରଞ୍ଜନର ଏକ ନୂଆ ଠିକଣା ହେବାକୁ ଯାଉଛି ପାଣ୍ଡରା। ଏଠାରେ ୮୦ କୋଟି ଟଙ୍କା ବିନିଯୋଗରେ ଏକ ଆକର୍ଷଣୀୟ ରିଭରଫ୍ରଣ୍ଟ ପ୍ରକଳ୍ପ ନିର୍ମାଣ କରାଯିବ। ନଦୀକୂଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ପର୍ଯ୍ୟଟନ, ସଂସ୍କୃତି ଓ ମନୋରଞ୍ଜନକୁ ଏକାଠି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।
କୁଆଖାଇ ଓ କୁଶଭଦ୍ରା ନଦୀ ମଧ୍ୟରେ ଥିବା ପାଣ୍ଡରାର ପ୍ରାକୃତିକ ଦ୍ୱୀପକୁ ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ। ଜଳ ସମ୍ପଦ ବିଭାଗର ସୂଚନା ଅନୁସାରେ, ଏହା ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଅଂଶବିଶେଷ। ନଦୀକୁ କେନ୍ଦ୍ର କରି ପର୍ଯ୍ୟଟନ ଓ ସ୍ଥାନୀୟ ଅର୍ଥନୀତିର ବିକାଶ କରିବା ଏହି ଯୋଜନାର ଲକ୍ଷ୍ୟ।
ପ୍ରକଳ୍ପରେ ପ୍ରାୟ ଦେଢ଼ କିଲୋମିଟର ଲମ୍ବର ନଦୀକୂଳ ପଦଚଲା ପଥ, ଘାଟ, ଭାସମାନ ଜେଟି ଏବଂ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ରାସ୍ତା ରହିବ। ଏହାର ଅନ୍ୟତମ ଆକର୍ଷଣ ହେବ ଦୁଇ କିଲୋମିଟରରୁ ଅଧିକ ଲମ୍ବର ଟ୍ରି-ୱାକ୍। ଏହି ଉଚ୍ଚତା ବିଶିଷ୍ଟ ପଥରେ ଚାଲି ପର୍ଯ୍ୟଟକମାନେ ନଦୀ ଓ ଚାରିପାଖର ସବୁଜ ପରିବେଶକୁ ନିକଟରୁ ଉପଭୋଗ କରିପାରିବେ।
ମନୋରଞ୍ଜନ ପାଇଁ ଏଠାରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଗାର୍ଡେନ୍, ପିକନିକ୍ ସ୍ପଟ୍, ଯୋଗ କେନ୍ଦ୍ର, ଫୁଡ୍ କୋର୍ଟ ଓ ସାହସିକ କ୍ରୀଡ଼ା କ୍ଷେତ୍ର ନିର୍ମାଣ ହେବ। ଏହା ସହିତ ଓଡ଼ିଶା ହାଟ ଓ ହେରିଟେଜ୍ ଭିଲେଜ୍ ମାଧ୍ୟମରେ ରାଜ୍ୟର କଳା, ସଂସ୍କୃତି ଓ ପାରମ୍ପରିକ ହସ୍ତଶିଳ୍ପକୁ ପ୍ରଦର୍ଶିତ କରାଯିବ। ସ୍ଥାନୀୟ କାରିଗର ଓ ଲୋକକଳାକାରଙ୍କୁ ନିଜର କଳା ପ୍ରଦର୍ଶନ ସହ ଜୀବିକାର ସୁଯୋଗ ମଧ୍ୟ ମିଳିବ।
ପ୍ରକଳ୍ପରେ ପରିବେଶ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଦେଶୀୟ ବୃକ୍ଷରୋପଣ ସହ ମିୟାୱାକି ଜଙ୍ଗଲ, ପ୍ରଜାପତି ଉଦ୍ୟାନ ଓ ପ୍ରକୃତି ପଦଯାତ୍ରା ପଥ ତିଆରି ହେବ। ଏହାଦ୍ୱାରା ପର୍ଯ୍ୟଟନ ସହ ପ୍ରାକୃତିକ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ।
ମୋଟ ୮୦ କୋଟି ଟଙ୍କାରୁ ୫୪ କୋଟି ଟଙ୍କା ନଦୀଘାଟ ନିର୍ମାଣ ଓ ନଦୀବନ୍ଧର ସୁରକ୍ଷା ପାଇଁ ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ପୋଲ, ଭିତର ରାସ୍ତା, ପାର୍କିଂ ବ୍ୟବସ୍ଥା, ସୌର ଆଲୋକୀକରଣ, ସିସିଟିଭି ଏବଂ ଇଭି ଚାର୍ଜିଂ କେନ୍ଦ୍ର ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ।
ଇପିସି ମୋଡ୍ରେ ଏହି ପ୍ରକଳ୍ପର ନିର୍ମାଣ କରାଯିବ। ଏଥିପାଇଁ ୨୪ ମାସର ସମୟସୀମା ରଖାଯାଇଥିବା ବେଳେ ନିର୍ମାଣ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯିବ।
ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ ଏକ ନୂଆ ମନୋରଞ୍ଜନ ସ୍ଥଳୀ ମିଳିବା ସହ ଓଡ଼ିଶାର ନଦୀଭିତ୍ତିକ ପର୍ଯ୍ୟଟନକୁ ନୂଆ ପରିଚୟ ମିଳିବାର ଆଶା ରହିଛି।
