Home SPORTSସ୍ପେନ୍‌ର ଦମଦାର ପ୍ରତ୍ୟାବର୍ତ୍ତନ, ସାଉଦି ଆରବକୁ ୪-୦ରେ ପରାସ୍ତ

ସ୍ପେନ୍‌ର ଦମଦାର ପ୍ରତ୍ୟାବର୍ତ୍ତନ, ସାଉଦି ଆରବକୁ ୪-୦ରେ ପରାସ୍ତ

by Gulshan Pandey
0 comments

ଆଟଲାଣ୍ଟା: ପୂର୍ବତନ ଚାମ୍ପିଅନ୍‌ ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍‌ରେ ନବାଗତ କେପ୍‌ ବର୍ଡେ ବିପକ୍ଷରେ ଡ୍ର’ କରିବା ପରେ ସମାଲୋଚନାର ସମ୍ମୁଖୀନ ହୋଇଥିବା ସ୍ପେନ୍‌ ରବିବାର ସାଉଦି ଆରବକୁ ୪-୦ ଗୋଲ୍‌ରେ ପରାସ୍ତ କରି ବିଜୟ ପଥକୁ ଫେରିଛି।

ଯୁବ ତାରକା ଲାମିନେ ୟାମଲ ଏବଂ ଅନୁଭବୀ ଷ୍ଟ୍ରାଇକର୍‌ ମିକେଲ ଓୟାର୍ଜାବାଲଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସ୍ପେନ୍‌ର ବଡ଼ ବିଜୟରେ ମୁଖ୍ୟ ଭୂମିକା ନେଇଥିଲା। ମ୍ୟାଚ୍‌ର ୧୦ମ ମିନିଟ୍‌ରେ ଓୟାର୍ଜାବାଲଙ୍କ ପାସ୍‌ରୁ ୟାମଲ ଗୋଲ୍‌ କରି ସ୍ପେନ୍‌କୁ ଅଗ୍ରଣୀ କରିଥିଲେ।

ଏହାପରେ ସାଉଦି ଆରବର ଦୁର୍ବଳ ରକ୍ଷଣଭାଗର ସୁଯୋଗ ନେଇ ଓୟାର୍ଜାବାଲ ୨୧ ଓ ୨୪ତମ ମିନିଟ୍‌ରେ ଲଗାତାର ଦୁଇଟି ଗୋଲ୍‌ କରି ସ୍ପେନ୍‌ର ଅଗ୍ରଣୀକୁ ୩-୦ରେ ପହଞ୍ଚାଇ ଦେଇଥିଲେ। ପ୍ରଥମାର୍ଦ୍ଧ ଏହି ସ୍କୋର୍‌ରେ ଶେଷ ହୋଇଥିଲା।

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସ୍ପେନ୍‌ର ଆକ୍ରମଣ ଜାରି ରହିଥିଲା। ଫଳରେ ୪୯ତମ ମିନିଟ୍‌ରେ ସାଉଦି ଖେଳାଳି ହାସନ ଅଲତମବକ୍ତି ଅସାବଧାନତାବଶତଃ ନିଜ ଗୋଲ୍‌ପୋଷ୍ଟରେ ବଲ୍‌ ପଠାଇ ଦେଇଥିଲେ। ଏହି ଆତ୍ମଘାତୀ ଗୋଲ୍‌ ସହ ସ୍ପେନ୍‌ର ଅଗ୍ରଣୀ ୪-୦ରେ ପହଞ୍ଚିଥିଲା।

ପରବର୍ତ୍ତୀ ସମୟରେ ସାଉଦି ଆରବ ଗୋଲ୍‌ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା। ଏହି ବଡ଼ ବିଜୟ ସହ ସ୍ପେନ୍‌ ଗ୍ରୁପ୍‌-ଏଚ୍‌ର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।

ଏବେ ସ୍ପେନ୍‌ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଉରୁଗୁଏକୁ ଭେଟିବ। ସେହି ମ୍ୟାଚ୍‌ରୁ ପଏଣ୍ଟ ଅର୍ଜନ କରିପାରିଲେ ଦଳ ରାଉଣ୍ଡ ଅଫ୍‌ ୩୨ରେ ସ୍ଥାନ ପ୍ରାୟ ନିଶ୍ଚିତ କରିନେବ।

You may also like

Leave a Comment