Home SPORTS୯୨ ବର୍ଷର ଅପେକ୍ଷାର ଅନ୍ତ: ବିଶ୍ୱକପ୍‌ରେ ଇଜିପ୍ଟର ଐତିହାସିକ ପ୍ରଥମ ବିଜୟ

୯୨ ବର୍ଷର ଅପେକ୍ଷାର ଅନ୍ତ: ବିଶ୍ୱକପ୍‌ରେ ଇଜିପ୍ଟର ଐତିହାସିକ ପ୍ରଥମ ବିଜୟ

by Gulshan Pandey
0 comments

ଭାଙ୍କୋଭର: ଫିଫା ବିଶ୍ୱକପ୍‌ ଇତିହାସରେ ଇଜିପ୍ଟ ସୋମବାର ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିଛି। ୧୯୩୪ ମସିହାରେ ପ୍ରଥମ ଥର ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ଏହି ଆଫ୍ରିକୀୟ ଦଳ ଦୀର୍ଘ ୯୨ ବର୍ଷର ଅପେକ୍ଷା ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ବିଜୟର ସ୍ୱାଦ ଚାଖିଛି। ଗ୍ରୁପ୍‌ ‘ଜି’ର ଏକ ରୋମାଞ୍ଚକର ମୁକାବିଲାରେ ଇଜିପ୍ଟ ୩-୧ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ରଚିଛି।

ମ୍ୟାଚ୍‌ର ଆରମ୍ଭରୁ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୧୫ତମ ମିନିଟ୍‌ରେ ଫିନ୍‌ ସର୍‌ମାନ୍‌ଙ୍କ ଗୋଲ୍‌ରେ ଦଳ ୧-୦ରେ ଅଗ୍ରଣୀ ହୋଇଥିଲା। ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ଏହି ସ୍କୋର୍‌ ବଜାୟ ରହିଥିଲା।

ତେବେ ଦ୍ୱିତୀୟାର୍ଦ୍ଧରେ ଇଜିପ୍ଟ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ୫୮ତମ ମିନିଟ୍‌ରେ ମୁସ୍ତାଫା ଜିକୋ ସମତା ସୂଚକ ଗୋଲ୍‌ ଦେଇ ସ୍କୋର୍‌କୁ ୧-୧ କରିଥିଲେ। ଏହାର ୯ ମିନିଟ୍‌ ପରେ, ୬୭ତମ ମିନିଟ୍‌ରେ ଦଳର ତାରକା ଖେଳାଳି ମହମ୍ମଦ ସାଲାହ ଗୋଲ୍‌ କରି ଇଜିପ୍ଟକୁ ୨-୧ରେ ଆଗୁଆ କରିଥିଲେ।

୮୨ତମ ମିନିଟ୍‌ରେ ବଦଳ ଖେଳାଳି ଟ୍ରେଜେଗୁଏଟ୍‌ ଅଧିନାୟକ ସାଲାହଙ୍କ କର୍ଣ୍ଣରକୁ ଚମତ୍କାର ହେଡର୍‌ ମାଧ୍ୟମରେ ଗୋଲ୍‌ରେ ପରିଣତ କରି ଇଜିପ୍ଟର ବିଜୟକୁ ପ୍ରାୟ ସୁନିଶ୍ଚିତ କରିଦେଇଥିଲେ।

ଶେଷ ସମୟରେ ନ୍ୟୁଜିଲାଣ୍ଡ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଇଜିପ୍ଟର ଗୋଲକିପର୍‌ ମୁସ୍ତାଫା ସୌବିର ଦୃଢ଼ ପ୍ରଦର୍ଶନ ଯୋଗୁଁ ସେମାନେ ସଫଳ ହୋଇପାରିନଥିଲେ।

ଏହି ଐତିହାସିକ ବିଜୟ ସହ ଇଜିପ୍ଟ ଗ୍ରୁପ୍‌ ‘ଜି’ରେ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଶୀର୍ଷ ସ୍ଥାନକୁ ଉଠିଆସିଛି। ଏହା ସହ ଦଳର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବାର ସମ୍ଭାବନା ମଧ୍ୟ ଅଧିକ ଉଜ୍ଜ୍ୱଳ ହୋଇଛି।

You may also like

Leave a Comment