ନୂଆଦିଲ୍ଲୀ: ନିଟ୍ (NEET) ପରୀକ୍ଷା ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ସୋସିଆଲ୍ ମିଡିଆ ଏବଂ ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସାରଣ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି। ବିଶେଷ କରି ଟେଲିଗ୍ରାମ୍ ଭଳି ପ୍ଲାଟଫର୍ମର ଦୁରୁପଯୋଗ ନେଇ ସରକାରୀ ସ୍ତରରେ ନଜରଦାରି ବଢ଼ାଯାଇଛି।
ସୂଚନା ଅନୁସାରେ, ପେପର୍ ଲିକ୍ ଓ ଅବୈଧ ସାମଗ୍ରୀ ପ୍ରସାରଣ ସହ ଜଡିତ ଚ୍ୟାନେଲ୍ ଏବଂ ଗ୍ରୁପ୍ଗୁଡ଼ିକୁ ଚିହ୍ନଟ କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନେ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ପଡ଼ିଲେ ଏଭଳି ଚ୍ୟାନେଲ୍ଗୁଡ଼ିକୁ ବନ୍ଦ କରିବା ସହ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ସମଗ୍ର ଭାରତରେ ଟେଲିଗ୍ରାମ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ଶିକ୍ଷା ବିଶେଷଜ୍ଞମାନଙ୍କ ମତରେ, ଡିଜିଟାଲ୍ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ସହ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ଆବଶ୍ୟକ। ପରୀକ୍ଷାର ପବିତ୍ରତା ବଜାୟ ରଖିବା ପାଇଁ ପ୍ରଯୁକ୍ତି ଭିତ୍ତିକ ନଜରଦାରି, କଠୋର ଆଇନ ଏବଂ ତ୍ୱରିତ ତଦନ୍ତ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଦରକାର।
ଏପଟେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପେପର୍ ଲିକ୍ ଘଟଣା ଉପରେ ଚିନ୍ତା ପ୍ରକାଶ କରିଥିବାବେଳେ, ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଗାମୀ ଦିନରେ ପରୀକ୍ଷା ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଆହୁରି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ହେଉଛି।
