ବିରୋଧୀଙ୍କ ହଙ୍ଗାମା ଓ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ମଧ୍ୟରେ ଗୁରୁବାର ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ୨୫ ଦିନ ଧରି ଚାଲିଥିବା ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ହୋଇଥିଲା। ଏହି ସମୟରେ ଲୋକସଭା ଓ ରାଜ୍ୟସଭା ମିଶି ୧୨ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିଛନ୍ତି। ତେବେ ହଙ୍ଗାମା ଯୋଗୁଁ ସଂସଦୀୟ କାର୍ଯ୍ୟର ଉତ୍ପାଦକତା ଯଥେଷ୍ଟ କମିଥିବା ଚିତ୍ର ସାମ୍ନାକୁ ଆସିଛି।
ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଅଧିବେଶନରେ ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥା, ଜାତୀୟ ସମ୍ମାନ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, MSME, ବ୍ୟାଙ୍କିଙ୍ଗ ରେକର୍ଡ, ଟ୍ରିବ୍ୟୁନାଲ, ଖଣି, କର ଓ ସମବାୟ କ୍ଷେତ୍ର ସମ୍ପର୍କିତ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ବିଲ୍ ପାରିତ ହୋଇଛି।
ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ଆମେଣ୍ଡମେଣ୍ଟ ବିଲ୍, ୨୦୨୬ରେ ସରକାରୀ ପରୀକ୍ଷାରେ ଅନିୟମିତତା ରୋକିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଅପରାଧର ତଦନ୍ତ ଦୁଇ ମାସ ଏବଂ ବିଚାର ତିନି ମାସ ମଧ୍ୟରେ ଶେଷ କରିବାର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିପାରିବେ।
ପ୍ରିଭେନସନ୍ ଅଫ୍ ଇନସଲ୍ଟସ୍ ଟୁ ନ୍ୟାସନାଲ୍ ଅନର୍ (ଆମେଣ୍ଡମେଣ୍ଟ) ବିଲ୍ରେ ‘ବନ୍ଦେ ମାତରମ୍’ ଗାନରେ ଇଚ୍ଛାକୃତ ବାଧା ସୃଷ୍ଟି କିମ୍ବା ଗାନ କରୁଥିବା ସଭାରେ ବିଶୃଙ୍ଖଳା ସୃଷ୍ଟିକୁ ଦଣ୍ଡନୀୟ କରାଯାଇଛି।
ବିଳମ୍ବିତ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ କଡ଼ା କରାଯାଇଛି। ଏକ ବର୍ଷରୁ ଅଧିକ ଓ ଦୁଇ ବର୍ଷ ମଧ୍ୟରେ ପଞ୍ଜୀକରଣ ପାଇଁ ସକ୍ଷମ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଅନୁମୋଦନ ଆବଶ୍ୟକ ହେବ। ଦୁଇ ବର୍ଷରୁ ଅଧିକ ବିଳମ୍ବ ହେଲେ ପ୍ରଥମ ଶ୍ରେଣୀ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଅନୁମୋଦନ ଦରକାର ହେବ।
MSME Development (Amendment) Bill, 2026 ଅନୁଯାୟୀ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ ପାଇଁ ମାଗଣା ଓ ସ୍ୱେଚ୍ଛାକୃତ ପଞ୍ଜୀକରଣର ଜାତୀୟ ଡିଜିଟାଲ୍ ପ୍ଲାଟଫର୍ମ ଆସିବ। ଏହା ଋଣ ପ୍ରାପ୍ତି ସହଜ କରିବା ଏବଂ ବକେୟା ପେମେଣ୍ଟ ବିବାଦର ଶୀଘ୍ର ସମାଧାନରେ ସହାୟକ ହେବ।
ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ରେ ବ୍ୟାଙ୍କ ରେକର୍ଡର ପରିସରକୁ ଭୌତିକ ଦସ୍ତାବିଜ ସହ ଇଲେକ୍ଟ୍ରୋନିକ୍, ଡିଜିଟାଲ୍, ଭର୍ଚୁଆଲ୍ ଓ କ୍ଲାଉଡ୍ ରେକର୍ଡ ପର୍ଯ୍ୟନ୍ତ ବଢ଼ାଯାଇଛି।
ଟ୍ରିବ୍ୟୁନାଲ୍ସ ରିଫର୍ମସ୍ ବିଲ୍ରେ ଟ୍ରିବ୍ୟୁନାଲଗୁଡ଼ିକର ସ୍ୱାଧୀନତା, ଦକ୍ଷତା ଓ ସ୍ୱଚ୍ଛତା ବଢ଼ାଇବା ସହ ନ୍ୟାସନାଲ୍ ଟ୍ରିବ୍ୟୁନାଲ୍ କମିଶନ୍ ଗଠନର ବ୍ୟବସ୍ଥା ରହିଛି। ଖଣି ଓ ଖଣିଜ କ୍ଷେତ୍ରର ଆର୍ଥିକ ବ୍ୟବସ୍ଥାକୁ ଅଧିକ ନିଶ୍ଚିତ ଓ ସ୍ପଷ୍ଟ କରିବା ପାଇଁ ମାଇନ୍ସ ଆଣ୍ଡ ମିନେରାଲ୍ସ ବିଲ୍ରେ ସଂଶୋଧନ ହୋଇଛି। ଏହାଛଡ଼ା ‘କେରଳ’ ନାମ ପରିବର୍ତ୍ତେ ‘କେରଳମ୍’ କରିବା ପାଇଁ ସମ୍ପର୍କିତ ବିଲ୍ ମଧ୍ୟ ଆସିଛି।
ଅଧିବେଶନର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ରହିଛି ଗୃହର କମ୍ ଉତ୍ପାଦକତା। ରାଜ୍ୟସଭା ମାତ୍ର ୩୭ ଘଣ୍ଟା ୪୯ ମିନିଟ୍ କାର୍ଯ୍ୟ କରିଥିଲା। ଏହାର ଉତ୍ପାଦକତା ହାର ୩୯.୧୭ ପ୍ରତିଶତ ରହିଥିଲା। ତାଲିକାଭୁକ୍ତ ୨୮୫ଟି ଷ୍ଟାର୍ଡ ପ୍ରଶ୍ନ ମଧ୍ୟରୁ କେବଳ ୧୬ଟି ଗ୍ରହଣ କରାଯାଇଥିଲା। ୩୮୦ଟି ଜିରୋ ଆୱାର୍ ସବମିଶନ୍ ମଧ୍ୟରୁ ୫୨ଟି ଏବଂ ୩୮୦ଟି ସ୍ପେସିଆଲ୍ ମେନସନ୍ ମଧ୍ୟରୁ ୯୩ଟି ନିଆଯାଇଥିଲା।
ଲୋକସଭାର ଉତ୍ପାଦକତା ମଧ୍ୟ ପ୍ରାୟ ୧୯ ପ୍ରତିଶତରେ ସୀମିତ ରହିଥିଲା। ହଙ୍ଗାମା ଓ ବିରୋଧ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ବିସ୍ତୃତ ଆଲୋଚନା ହୋଇପାରିନଥିବାରୁ ସରକାର ଅସନ୍ତୋଷ ପ୍ରକାଶ କରିଛି।
ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ୍ ବିଦାୟୀ ଭାଷଣରେ ଗୃହରେ ହୋଇଥିବା ବିଶୃଙ୍ଖଳାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ତାଙ୍କ କହିବା ଅନୁସାରେ, ଲଗାତାର ବାଧା ଯୋଗୁଁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରଭାବିତ ହେବା ସହ ସାରଗର୍ଭିତ ଆଲୋଚନା ପାଇଁ ସୁଯୋଗ ହ୍ରାସ ପାଇଛି।
ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କଂଗ୍ରେସ ଓ ବିରୋଧୀଙ୍କୁ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରିବା ନେଇ ସମାଲୋଚନା କରିଛନ୍ତି।
ବିଲ୍ ପାରିତ ହେଲା, କିନ୍ତୁ ଆଲୋଚନା ହେଲା କମ୍—୨୫ ଦିନର ମୌସୁମୀ ଅଧିବେଶନ ଏହି ବିରୋଧାଭାସକୁ ନେଇ ଶେଷ ହୋଇଛି।
