୪୧.୩୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା ଆର୍ଥିକ ସହାୟତା, ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ଜୀବିକା ସହାୟତା, ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର CM-KISAN ଯୋଜନାରେ ରବି ୨୦୨୬-୨୭ ପାଇଁ ବଡ଼ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନରେ ଏନେଇ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଯୋଗ୍ୟ ଚାଷୀ ଓ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମୋଟ ₹୮୩୩.୦୭ କୋଟି ପ୍ରଦାନ କରାଯାଇଛି।
ଏହି ସହାୟତା ରାଶି ରବି ଋତୁ ପାଇଁ ୪୧,୩୨,୬୮୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୩,୯୪୯ଟି ଭୂମିହୀନ କୃଷି ପରିବାର ଏବଂ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
CM-KISAN ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ପ୍ରତ୍ୟେକ ଫସଲ ଋତୁରେ ₹୨,୦୦୦ ଲେଖାଏଁ ଆର୍ଥିକ ସହାୟତା ମିଳୁଛି। ଅର୍ଥାତ୍ ବର୍ଷକୁ ଦୁଇଟି ଫସଲ ଋତୁ ପାଇଁ ଜଣେ ଯୋଗ୍ୟ ଚାଷୀଙ୍କୁ ମୋଟ ₹୪,୦୦୦ ମିଳିବାର ବ୍ୟବସ୍ଥା ରହିଛି। ଏହି ଟଙ୍କା ଚାଷୀମାନେ ନିଜ ଆବଶ୍ୟକତା ଅନୁଯାୟୀ ବିହନ, ସାର, କୀଟନାଶକ ଭଳି କୃଷି ସାମଗ୍ରୀ କିଣିବା ସହ ଶ୍ରମିକ ମଜୁରୀ ଓ ଅନ୍ୟାନ୍ୟ ଚାଷ ଖର୍ଚ୍ଚରେ ବ୍ୟବହାର କରିପାରିବେ।
ଭୂମିହୀନ ପରିବାରଙ୍କୁ ₹୧୨,୫୦୦ ଜୀବିକା ସହାୟତା
ଗ୍ରାମାଞ୍ଚଳର ଭୂମିହୀନ କୃଷି ପରିବାରଙ୍କ ଆୟ ବୃଦ୍ଧି ପାଇଁ ସରକାର ଆନୁସଙ୍ଗିକ କୃଷି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି। ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନକୃଷି ଭଳି କାର୍ଯ୍ୟ ଆପଣାଇବା ପାଇଁ ପ୍ରତ୍ୟେକ ଯୋଗ୍ୟ ଭୂମିହୀନ କୃଷି ପରିବାରକୁ ମୋଟ ₹୧୨,୫୦୦ ଜୀବିକା ସହାୟତା ଦିଆଯାଉଛି। ଏହି ରାଶି ତିନୋଟି କିସ୍ତିରେ ପ୍ରଦାନ କରାଯାଉଛି।
ଚାଷୀଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି
CM-KISAN ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷାଗତ ଉନ୍ନତି ପାଇଁ କୃଷି ବିଦ୍ୟାନିଧି ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଛାତ୍ରବୃତ୍ତି ମିଳୁଛି।
୨୦୨୫-୨୬ ଶିକ୍ଷାବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପାଇଁ ରେକର୍ଡ ସଂଖ୍ୟକ ୬୮,୯୧୦ ଜଣ CM-KISAN ହିତାଧିକାରୀଙ୍କ ପିଲାଙ୍କୁ ₹୨୯୧.୬୦ କୋଟିରୁ ଅଧିକ କୃଷି ବିଦ୍ୟାନିଧି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟର ୭୫୦ରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ୩୦ଟି ଜିଲ୍ଲାରେ ଲାଇଭ୍ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ କରାଯାଇଥିଲା।
