ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥର କଥିତ ହେରଫେର ମାମଲାର ତଦନ୍ତ କରୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT) ତାହାର ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଦାନ ସଂଗ୍ରହ ଓ ତାହାର ନିରୀକ୍ଷଣ ବ୍ୟବସ୍ଥାରେ ଅନେକ ଅନିୟମିତତା ଥିବା କଥା ଉଲ୍ଲେଖ କରାଯାଇଛି।
SIT ତଦନ୍ତରୁ ଜଣାପଡ଼ିଛି ଯେ ରାମ ମନ୍ଦିରକୁ ପ୍ରତିମାସ ହାରାହାରି ପ୍ରାୟ ୨୫ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। କୁମ୍ଭ ମେଳା ସମୟରେ ଏହି ସଂଖ୍ୟା ବଢ଼ି ପ୍ରାୟ ୧ କୋଟିରେ ପହଞ୍ଚିଥିଲା। ମନ୍ଦିରକୁ ଦାନ ବାକ୍ସ (ହୁଣ୍ଡି), ଅନଲାଇନ ଟ୍ରାନ୍ସଫର ଓ କ୍ୟାସ୍ କାଉଣ୍ଟର ମାଧ୍ୟମରେ ଦାନ ଆସୁଥିବା ତଦନ୍ତରେ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ଜଣେ ଭକ୍ତଙ୍କ ପକ୍ଷରୁ ହାରାହାରି ୧୫ରୁ ୧୮ ଟଙ୍କା ପର୍ଯ୍ୟନ୍ତ ଦାନ ମିଳୁଥିଲା। ତେବେ ଶସ୍ୟ, ତେଲ, ଘିଅ, ସୁନା ଓ ରୂପା ଅଳଙ୍କାର ଭଳି ଦାନର କୌଣସି ସଠିକ୍ ରେକର୍ଡ କିମ୍ବା ପ୍ରମାଣ ମିଳିନଥିବାରୁ ସେଗୁଡ଼ିକୁ ତଦନ୍ତରେ ସାମିଲ କରାଯାଇନଥିଲା।
ତଦନ୍ତ ସମୟରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ଭକ୍ତଙ୍କ ସଂଖ୍ୟାର ବିଶ୍ଳେଷଣରେ ଦାନ ରାଶିରେ ବଡ଼ ଧରଣର ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। କେତେକ ସମୟରେ ଭକ୍ତଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ଦାନ ରାଶି କମ୍ ଦେଖାଯାଇଥିଲା। ଏହା ଉପରେ ପଚରାଉଚରା ସମୟରେ କର୍ମଚାରୀମାନେ କହିଥିଲେ ଯେ ସେହି ସମୟରେ ଭକ୍ତମାନେ ନୋଟ୍ ବଦଳରେ ଅଧିକ ଖୁଚୁରା ମୁଦ୍ରା ଦାନ କରିଥିଲେ।
SIT ରିପୋର୍ଟରେ ଆହୁରି କୁହାଯାଇଛି ଯେ କେତେକ କର୍ମଚାରୀ କୌଣସି ଲିଖିତ ଅନୁମତି ବିନା ଦାୟିତ୍ୱ ତୁଲାଉଥିଲେ। ଦାନ ଗଣନା ବ୍ୟବସ୍ଥା ଓ ଦାନ ନିରୀକ୍ଷଣ କମିଟିର କାର୍ଯ୍ୟ ପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ପ୍ରାରମ୍ଭିକ ରିପୋର୍ଟରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସମେତ କେତେକ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ଉପରେ ଅଧିକ ତଦନ୍ତ ଆବଶ୍ୟକ ବୋଲି କୁହାଯାଇଛି। କର୍ମଚାରୀ ନିଯୁକ୍ତିରେ ମଧ୍ୟ କିଛି ଅନିୟମିତତା ଥିବା ସୂଚନା ମିଳିଛି।
ରିପୋର୍ଟ ଅନୁସାରେ, ଗତ ପାଞ୍ଚ ବର୍ଷ ମଧ୍ୟରେ କେତେକ କର୍ମଚାରୀଙ୍କ ଆୟ ଓ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। ତଦନ୍ତ ସମୟରେ SIT ୬୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଥିବା ବେଳେ CCTV ଫୁଟେଜ ମଧ୍ୟ ଯାଞ୍ଚ କରିଛି। ଏହି ଫୁଟେଜରୁ ମଧ୍ୟ କିଛି ସନ୍ଦେହଜନକ ତଥ୍ୟ ସାମ୍ନାକୁ ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ SIT ସ୍ପଷ୍ଟ କରିଛି ଯେ ଏପର୍ଯ୍ୟନ୍ତ ଦାନର ସଠିକ୍ ପରିମାଣ କିମ୍ବା ଉତ୍ସ ସମ୍ପର୍କରେ କୌଣସି ଠୋସ ପ୍ରମାଣ ମିଳିନାହିଁ। ତେଣୁ ପ୍ରକୃତରେ ଚୋରି କିମ୍ବା ଅର୍ଥ ହେରଫେର ହୋଇଛି କି ନାହିଁ ଏବଂ କେତେ କ୍ଷତି ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ।
SIT କହିଛି ଯେ ପ୍ରାରମ୍ଭିକ ରିପୋର୍ଟ ଦାଖଲ ପରେ ଆସନ୍ତା ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରାଯିବ। ଚୂଡ଼ାନ୍ତ ରିପୋର୍ଟ ପରେ ମାମଲାର ପ୍ରକୃତ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
