Home Featuredଆଣ୍ଡାମାନ ନିକଟରେ ‘ଓସେନ୍ ୱିନର’ ବୁଡ଼ିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ

ଆଣ୍ଡାମାନ ନିକଟରେ ‘ଓସେନ୍ ୱିନର’ ବୁଡ଼ିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ

by Sunita Jena
0 comments

ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟ ସମୁଦ୍ରରେ ହଠାତ୍ ବୁଡ଼ିଯିବା ଘଟଣା ଏବେ ଚର୍ଚ୍ଚାରେ। ଜାହାଜରୁ ଉଦ୍ଧାର ହୋଇଥିବା ଦୁଇ ଚୀନ ନାବିକଙ୍କ ବୟାନରୁ ଘଟଣାର ଭୟାବହତା ସାମ୍ନାକୁ ଆସିଛି।

ନାବିକଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ସେମାନେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଜରୁରିକାଳୀନ ସାଇରନ୍ ବାଜିଥିଲା। ସେତେବେଳକୁ ଜାହାଜର ଏକ ବଡ଼ ଅଂଶ ପାଣିରେ ବୁଡ଼ି ସାରିଥିଲା। ଅନ୍ଧାର ରାତିରେ ଚାରିଆଡ଼େ ପାଣି ଓ ଆତଙ୍କର ପରିସ୍ଥିତି ମଧ୍ୟରେ ୧୦ ଜଣ ନାବିକ ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଥିଲେ।ମାତ୍ର କିଛି ମିନିଟ୍‌ ମଧ୍ୟରେ ଜାହାଜଟି ସମୁଦ୍ରରେ ଅଦୃଶ୍ୟ ହୋଇଯାଇଥିଲା। ଉଦ୍ଧାର ହୋଇଥିବା ଦୁଇ ଜଣ ଲାଇଫ୍‌ ରାଫ୍ଟର ସହାୟତା ନେଇ ଜୀବନ ବଞ୍ଚାଇଥିବା ବେଳେ ଅନ୍ୟମାନେ ଜାହାଜ ବୁଡ଼ିବା ସମୟରେ ସୃଷ୍ଟି ହୋଇଥିବା ପ୍ରବଳ ଭଉଁରିରେ ଭାସିଯାଇଥିବା କୁହାଯାଇଛି।

ଏପର୍ଯ୍ୟନ୍ତ ୨୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ଭାରତୀୟ କୋଷ୍ଟଗାର୍ଡ, ଚୀନର ଜାହାଜ ଏବଂ ନୌସେନା ବିମାନ ମିଳିତ ଭାବେ ସମୁଦ୍ରରେ ତଲାସି ଅଭିଯାନ ଚଳାଇଛନ୍ତି। ନିଖୋଜ ନାବିକଙ୍କ ସନ୍ଧାନ ସହ ବୁଡ଼ିଥିବା ଜାହାଜର ସ୍ଥିତି ଜାଣିବାକୁ ମଧ୍ୟ ଉଦ୍ୟମ ଜାରି ରହିଛି।ଉଦ୍ଧାର ହୋଇଥିବା ଦୁଇ ଚୀନ ନାବିକଙ୍କ ସହ ଯୋଗାଯୋଗ ଓ ଭାଷା ଅନୁବାଦ ପାଇଁ ନୂଆଦିଲ୍ଲୀରୁ ପ୍ରତିନିଧି ପାରାଦୀପରେ ପହଞ୍ଚି ସେମାନଙ୍କଠାରୁ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପରିବାର ସହ ଫୋନ୍‌ରେ କଥା ହେବା ପରେ ଦୁଇ ନାବିକ ଭାରତରୁ ଚୀନ ଫେରିବା ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସମୁଦ୍ର ପରିବହନ ବିଶେଷଜ୍ଞମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଏତେ କମ୍‌ ସମୟ ମଧ୍ୟରେ ଏକ ବଡ଼ ମାଲବାହୀ ଜାହାଜର ଏଭଳି ଦ୍ରୁତ ଭାବେ ବୁଡ଼ିଯିବା ଘଟଣାକୁ ସେମାନେ ଅସାଧାରଣ ବୋଲି ମତ ଦେଇଛନ୍ତି।

ଇତିହାସରେ ମଧ୍ୟ ରହିଛି ଏକ ବଡ଼ ଜାହାଜ ଦୁର୍ଘଟଣା

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟ ସମୁଦ୍ରରେ ଜାହାଜ ଦୁର୍ଘଟଣାର ଇତିହାସ ମଧ୍ୟ ରହିଛି। ୧୮୮୭ ମସିହା ମେ ୨୫ରେ ‘ସାର୍ ଜନ୍ ଲରେନ୍ସ’ ନାମକ ଜାହାଜ ସାଗରଦ୍ୱୀପ ନିକଟରେ ସାମୁଦ୍ରିକ ଝଡ଼ରେ ବୁଡ଼ିଯାଇଥିଲା। ପୁରୀର ସ୍ନାନଯାତ୍ରା ଦେଖିବାକୁ ପଶ୍ଚିମବଙ୍ଗରୁ ଶତାଧିକ ଯାତ୍ରୀ ଏହି ଜାହାଜରେ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ବହୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।ସେହି ଦୁର୍ଘଟଣା ପରେ କୋଲକାତା, ମାଡ୍ରାସ ଓ ପୁରୀ ମଧ୍ୟରେ ରେଳ ଯୋଗାଯୋଗ ନେଇ ଦାବି ଜୋରଦାର ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦାବି ରେଳ ସଂଯୋଗ ବିସ୍ତାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥିଲା।

You may also like

Leave a Comment