୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକର ସ୍ଥିତି ଅନୁଧ୍ୟାନ; ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଓ ତୁରନ୍ତ ସହାୟତା ପ୍ୟାକେଜ୍ ପ୍ରଦାନର ନିର୍ଦ୍ଦେଶ
ଭୁବନେଶ୍ୱର, ୧ ଅଗଷ୍ଟ: ରାଜ୍ୟର ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆକାଶମାର୍ଗରୁ ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ।
ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଥିଲେ ମଧ୍ୟ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବନ୍ୟା ପାଣି ସମ୍ପୂର୍ଣ୍ଣ ହ୍ରାସ ପାଇବାର ସମ୍ଭାବନା ରହିଛି।
ବନ୍ୟା ଜଳ ହ୍ରାସ ପାଇବାର ତିନି ଦିନ ମଧ୍ୟରେ କୃଷିଜମି, ବାସଗୃହ ଓ ଅନ୍ୟାନ୍ୟ କ୍ଷତିର ଆକଳନ କରି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ୟାକେଜ୍ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱରର ସୋର, ରେମୁଣା ଓ ସଦର, ମୟୂରଭଞ୍ଜର ବଡସାହି, ଉଦଳା ଓ କପ୍ତିପଦାର ପ୍ରଭାବିତ ଅଞ୍ଚଳ ସହ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ବନ୍ୟା ସ୍ଥିତିର ଆକଳନ କରିଥିଲେ।
ସେ କହିଛନ୍ତି, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କର ନିରନ୍ତର ନଜର ରହିଛି ଏବଂ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ନିୟମିତ ସମୀକ୍ଷା କରାଯାଉଛି। ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ବିଶେଷ ସତର୍କ ଦୃଷ୍ଟି ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
ଚଳିତ ବନ୍ୟାରେ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ୧୭ଟି ଓଡ୍ରାଫ୍, ୭ଟି ଏନ୍ଡିଆରଏଫ୍ ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ନିୟୋଜିତ ଅଛନ୍ତି। ୭୦୦ଟି ଆଶ୍ରୟସ୍ଥଳ ଓ ରିଲିଫ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କ ପାଇଁ ରହିବା, ରନ୍ଧା ଓ ଶୁଖିଲା ଖାଦ୍ୟ, ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରରେ ରହି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧାଖାଦ୍ୟ, ପିଇବା ପାଣି ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି।
ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ସହ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ରୋକିବା ପାଇଁ ମଧ୍ୟ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୟୋପଯୋଗୀ ସୂଚନା, ସଠିକ୍ ପଦକ୍ଷେପ ଓ ପ୍ରଶାସନର ସକ୍ରିୟତା ଯୋଗୁ ବନ୍ୟାଜନିତ ବଡ଼ କ୍ଷୟକ୍ଷତିକୁ ଏଡ଼ାଇବା ସମ୍ଭବ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
