ପୁରୀ: ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ଗୃହରେ ବିରାଜମାନ ଚତୁର୍ଦ୍ଧା ବିଗ୍ରହଙ୍କ ଗୁପ୍ତନୀତି ମଧ୍ୟରେ ଆଜି ପାଳନ ହେଉଛି ଗୁରୁତ୍ୱପୂର୍ଣ୍ଣ ଫୁଲୁରୀ ତେଲ ଲାଗି ନୀତି। ପରମ୍ପରା ଅନୁଯାୟୀ, ୧୦୮ ଗରା ଜଳରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଜ୍ୱରାକ୍ରାନ୍ତ ହୋଇଥିବାର ଲୌକିକ ଧାରଣା ରହିଛି। ସେହି ଅସୁସ୍ଥତାର ଉପଚାର ସ୍ୱରୂପ ଅଣସର ସମୟରେ ଫୁଲୁରୀ ତେଲ ଓ ଦଶମୂଳ ମୋଦକ ସେବା କରାଯାଏ।
ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ମଧ୍ୟରେ ଏହି ନୀତି ସମ୍ପନ୍ନ ହୋଇଥାଏ। ଆଜି ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମର୍ଦ୍ଦନ କରାଯିବା ସହ ମହାପ୍ରଭୁଙ୍କ ଆରୋଗ୍ୟ କାମନା କରାଯାଏ। ବିଶ୍ୱାସ ରହିଛି, ଏହି ମହୌଷଧି ପ୍ରୟୋଗ ପରେ ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହୋଇ ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତ ହୁଅନ୍ତି।
ପରମ୍ପରା ଅନୁସାରେ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରିବାର ଦାୟିତ୍ୱ ପୁରୀର ବଡ଼ଓଡ଼ିଆ ମଠ ପାଳନ କରିଥାଏ। ଓଡ଼ିଆ ଭାଗବତର ପ୍ରଣେତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଠ ପ୍ରତିବର୍ଷ ଅଣସର ପାଇଁ ୬ ସେର ଫୁଲୁରୀ ତେଲ ଯୋଗାଇଥାଏ। ନବକଳେବର ବର୍ଷରେ ଏହାର ପରିମାଣ ୯ ସେର କରାଯାଏ।
ଫୁଲୁରୀ ତେଲ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ସ୍ୱତନ୍ତ୍ର। ହେରାପଞ୍ଚମୀ ଦିନ ଘଣା ପେଡ଼ା ରାଶି ତେଲ ସହ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ସମେତ ବିଭିନ୍ନ ଔଷଧୀୟ ଦ୍ରବ୍ୟ ଓ ସୁଗନ୍ଧିତ ପୁଷ୍ପ ମିଶାଇ ତିନୋଟି ମାଟି ଘଡ଼ିରେ ସଂରକ୍ଷଣ କରାଯାଏ। ଏହାକୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତି ରଖାଯାଇଥାଏ। ପରବର୍ତ୍ତୀ ଦେବସ୍ନାନ ପୂର୍ଣ୍ଣିମାରେ ଏହାକୁ ବାହାର କରାଯାଇ ଛାଣି ମହୌଷଧି ରୂପେ ପ୍ରସ୍ତୁତ କରାଯାଏ।
ଆୟୁର୍ବେଦ ମତାନୁସାରେ ଏଥିରେ ବ୍ୟବହୃତ ଔଷଧୀୟ ଉପାଦାନ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଏହି ବିଶ୍ୱାସକୁ ଆଧାର କରି ଅଣସର ଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମର୍ଦ୍ଦନ କରାଯାଇଥାଏ।
ପ୍ରଥମେ ଶୋଭାଯାତ୍ରାରେ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ଆଣାଯାଇଥାଏ। ପରେ ଦେଉଳ କରଣଙ୍କ ନେତୃତ୍ୱରେ ଏହା ଅଣସର ଗୃହକୁ ନିଆଯାଏ। ପତି ମହାପାତ୍ର ସେବକ ତିନୋଟି ରୂପା ପିଙ୍ଗଣରେ ତେଲର ସଂସ୍କାର କରିବା ପରେ ଦଇତାପତି ସେବକମାନେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଏହାକୁ ଲାଗି କରାଇଥାନ୍ତି।
ଶ୍ରୀମନ୍ଦିରର ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗିକୁ ଏକ ପ୍ରମୁଖ ଆଚାର ଭାବେ ଗଣାଯାଏ। ଏହି ନୀତି ପରେ ମହାପ୍ରଭୁଙ୍କ ଆରୋଗ୍ୟ ଲାଭ ଏବଂ ପରବର୍ତ୍ତୀ ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଥାଏ।
