Home Featuredଅଶୋଧିତ ତେଲ ଦର ହ୍ରାସ ସତ୍ତ୍ୱେ ପେଟ୍ରୋଲ-ଡିଜେଲ ଶସ୍ତା ହେବାକୁ ଆହୁରି ସମୟ ଲାଗିପାରେ

ଅଶୋଧିତ ତେଲ ଦର ହ୍ରାସ ସତ୍ତ୍ୱେ ପେଟ୍ରୋଲ-ଡିଜେଲ ଶସ୍ତା ହେବାକୁ ଆହୁରି ସମୟ ଲାଗିପାରେ

by Lokanath Panigrahi
0 comments

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ ଲଗାତାର କମୁଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ତୁରନ୍ତ କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କିଛି ସପ୍ତାହ ଧରି ସ୍ଥିର ଭାବେ ନିମ୍ନ ସ୍ତରରେ ରହିଲେ ମାତ୍ର ଦେଶରେ ଇନ୍ଧନ ମୂଲ୍ୟ ହ୍ରାସ ନେଇ ବିଚାର କରାଯାଇପାରିବ।

ମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ବିଶ୍ୱ ଉର୍ଜା ବଜାରରେ ଅନିଶ୍ଚିତତା ଦେଖାଦେଇଥିଲା। ତଥାପି ଭାରତ ତେଲ, ଏଲ୍‌ପିଜି ଏବଂ ଏଲ୍‌ଏନ୍‌ଜିର ଯୋଗାଣକୁ ସୁଚାରୁ ଭାବେ ବଜାୟ ରଖି ଗ୍ରାହକଙ୍କ ଉପରେ ଅତିରିକ୍ତ ଚାପ ପଡ଼ିବାକୁ ରୋକିବାରେ ସକ୍ଷମ ହୋଇଥିଲା। ସେ କହିଛନ୍ତି, ବହୁ ଦେଶରେ ଇନ୍ଧନ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହୋଇଥିବାବେଳେ ଭାରତରେ ପରିସ୍ଥିତିକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରାଯାଇଥିଲା।

ତାଙ୍କ କହିବା ଅନୁସାରେ, ଦୀର୍ଘ ସମୟ ଧରି କ୍ଷତି ସହିବା ପରେ ତୈଳ ବିପଣନ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ପର୍ଯ୍ୟାୟକ୍ରମେ ବଢ଼ାଇଥିଲେ। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ହୋଇଥିବା ଦରବୃଦ୍ଧି ଅପେକ୍ଷାକୃତ କମ୍ ଥିଲା ବୋଲି ସେ ଦାବି କରିଛନ୍ତି।

ଏପଟେ ଆନ୍ତର୍ଜାତୀୟ ସ୍ତରରେ ତୈଳ ବଜାରରେ ସ୍ଥିରତା ଫେରିବା ସହ ଅଶୋଧିତ ତେଲର ମୂଲ୍ୟ ତଳମୁହାଁ ହୋଇଛି। ଯୁଦ୍ଧବିରତି ଏବଂ କୂଟନୈତିକ ଆଲୋଚନା ପରେ ବିଶ୍ୱ ବଜାରରେ ଦର ଦ୍ରୁତ ହ୍ରାସ ପାଇଛି। ସମ୍ପ୍ରତି ବ୍ରେଣ୍ଟ୍ କ୍ରୁଡ୍ ବ୍ୟାରେଲ ପିଛା ପ୍ରାୟ ୭୧ ଡଲାର, ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମିଡିଏଟ୍ ପ୍ରାୟ ୬୮ ଡଲାର ଏବଂ ମୁର୍ବାନ୍ କ୍ରୁଡ୍ ପ୍ରାୟ ୬୪ ଡଲାର ସ୍ତରରେ କାରବାର କରୁଥିଲା।

ବିଶେଷଜ୍ଞଙ୍କ ମତରେ, ବିଶ୍ୱ ବଜାରରେ ଦର ହ୍ରାସର ପ୍ରଭାବ ଭାରତୀୟ ଖୁଚୁରା ଇନ୍ଧନ ମୂଲ୍ୟ ଉପରେ ପଡ଼ିବା ପାଇଁ କିଛି ସମୟ ଲାଗିପାରେ। ତେଣୁ ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ତୁରନ୍ତ ରିହାତି ମିଳିବାର ସମ୍ଭାବନା କମ୍ ବୋଲି ଧରାଯାଉଛି।

You may also like

Leave a Comment