Home Featuredମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ୧୯ତମ ପାଳି: ୧୮ ପାଳିରେ ୯୬% ଅଭିଯୋଗର ସମାଧାନ, ୧୨ ରୋଗୀଙ୍କୁ ୬.୧୫ ଲକ୍ଷ ଟଙ୍କା ସହାୟତା

ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ୧୯ତମ ପାଳି: ୧୮ ପାଳିରେ ୯୬% ଅଭିଯୋଗର ସମାଧାନ, ୧୨ ରୋଗୀଙ୍କୁ ୬.୧୫ ଲକ୍ଷ ଟଙ୍କା ସହାୟତା

by Lokanath Panigrahi
0 comments

ଭୁବନେଶ୍ୱର, ୨୭ ଜୁଲାଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୯ତମ ପାଳି ରବିବାର ୟୁନିଟ-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ୬ ଜଣ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଭିଯୋଗଗୁଡ଼ିକର ଅଗ୍ରଗତି ଉପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ନିୟମିତ ନଜର ରଖାଯାଉଛି। ଫଳରେ ଅଭିଯୋଗ ସମାଧାନର ହାର ବଢ଼ିବା ସହ ସରକାରୀ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଭରସା ମଧ୍ୟ ବୃଦ୍ଧି ପାଉଛି।

ସରକାରୀ ତଥ୍ୟ ଅନୁସାରେ, ପୂର୍ବରୁ ଅନୁଷ୍ଠିତ ୧୮ଟି ଜନଶୁଣାଣିରେ ମୋଟ ୧୪,୯୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିରୁ ୧୪,୩୩୧ଟି ଅଭିଯୋଗର ସମାଧାନ ହୋଇଛି, ଯାହା ପ୍ରାୟ ୯୬ ପ୍ରତିଶତ। ସେହିପରି ଜିଲ୍ଲା ସ୍ତରରେ ଜୁନ୍ ଶେଷ ସୁଦ୍ଧା ୨,୫୯,୨୧୩ଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ପ୍ରାୟ ୮୯ ପ୍ରତିଶତ ମାମଲାର ସମାଧାନ କରାଯାଇଛି।

ଆଜିର ଜନଶୁଣାଣିରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ପରେ ପଞ୍ଜିକୃତ ଅଭିଯୋଗକାରୀଙ୍କ ଆବେଦନ ଉପରେ ଶୁଣାଣି କରି ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଦୂରାରୋଗ୍ୟରେ ପୀଡ଼ିତ ୧୨ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ମୋଟ ୬.୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ତୁରନ୍ତ ମଞ୍ଜୁର କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ୭୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିଲା।

ଗଣମାଧ୍ୟମ ସହ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅଭିଯୋଗର ସମାଧାନ କରିବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।

You may also like

Leave a Comment