ପୁରୀ, ୧୫ ଜୁଲାଇ: ଦୀର୍ଘ ଅଣସର ନୀତି ପରେ ଆଜି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ବିଭିନ୍ନ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା ସହ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନର ବ୍ୟବସ୍ଥା କରାଯିବ।
ନୀତି ଅନୁଯାୟୀ ବଡ଼ସିଂହାର ଧୂପ, ପଣା ଓ ଚକଟା ଭୋଗ ପରେ ଦତ୍ତ ମହାପାତ୍ରଙ୍କ ଦ୍ୱାରା ଭୂମି ମାପ ଓ ବନକ ଲାଗି ନୀତି ସମ୍ପନ୍ନ ହେବ। ଏହାପରେ ଦଇତାପତି ସେବକମାନେ ଚକା ଅପସର ସହ ଅନ୍ୟାନ୍ୟ ଗୁପ୍ତ ନୀତି ପାଳନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଦଶାବତାର ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହେବ।
ଏହା ପରେ ମହାଜନ ସେବକମାନେ ପାଞ୍ଚ ବିଜେ ପ୍ରତିମାଙ୍କୁ ଦକ୍ଷିଣୀ ଘରକୁ ଏବଂ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଯ ଘରକୁ ବିଜେ କରାଇବେ। ସେହିପରି ମଣ୍ଡଣି ୩ ପଟି ଦିଅଁଙ୍କୁ ବିମଳା ମନ୍ଦିର ପାର୍ଶ୍ୱସ୍ଥିତ ମଣ୍ଡଣି ଘରକୁ ବିଜେ କରାଯିବ। ପରେ କୋଠ ସୁଆଁସିଆ ସେବକମାନେ ଅଣସର ତାଟି ଖୋଲି ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇଯିବେ।
ସମସ୍ତ ନୀତି ସମାପ୍ତ ହେବା ପରେ ସ୍ଥାନ ପରିଷ୍କାର କରାଯିବ ଏବଂ ଭକ୍ତମାନଙ୍କୁ ନବଯୌବନ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିତର କାଠ ନିକଟକୁ ପ୍ରବେଶର ସୁଯୋଗ ମିଳିବ। ଏହି ଦିନଠାରୁ ଶ୍ରୀବିଗ୍ରହମାନେ ବାରଲାଗି ପାଟ, ଖଣ୍ଡୁଆ ବସ୍ତ୍ର ଓ ବିଭିନ୍ନ ପୁଷ୍ପ ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ। ସେମାନଙ୍କ ସମ୍ମୁଖରେ ଅନ୍ନଭୋଗ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏହା ସହିତ ଅଣସର ପର୍ବର ନୀତି ଔପଚାରିକ ଭାବେ ସମାପ୍ତ ହେବ।
