Home Featuredଏସ୍‌ସିବିରେ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌, ତ୍ୱରାନ୍ୱିତ ହେବ ମେଗା ପୁନଃବିକାଶ କାର୍ଯ୍ୟ

ଏସ୍‌ସିବିରେ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌, ତ୍ୱରାନ୍ୱିତ ହେବ ମେଗା ପୁନଃବିକାଶ କାର୍ଯ୍ୟ

by Sunita Jena
0 comments

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏସ୍‌ସିବି ପରିସରରେ ନୂଆ ମେଡିସିନ୍‌ ବ୍ଲକ୍‌ ନିର୍ମାଣ ପାଇଁ ଖୁବଶୀଘ୍ର ଉପଯୁକ୍ତ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଲୋକସେବା ଭବନରେ ଏସ୍‌ସିବିର ମେଗା ପୁନଃବିକାଶ ପ୍ରକଳ୍ପ ନେଇ ହୋଇଥିବା ସମୀକ୍ଷା ବୈଠକରେ ହସ୍ପିଟାଲର ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଆଲୋଚନା ହୋଇଛି। ବର୍ତ୍ତମାନ ଏସ୍‌ସିବିରେ ୪ଟି ନୂଆ କ୍ଲିନିକାଲ୍‌ ବ୍ଲକ୍‌ ଏବଂ ଗୋଟିଏ ଆବାସିକ ବ୍ଲକ୍‌ ନିର୍ମାଣାଧୀନ ରହିଛି। ଏହି କ୍ଲିନିକାଲ୍‌ ବ୍ଲକ୍‌ଗୁଡ଼ିକର କାମ ଆସନ୍ତାବର୍ଷ ଜୁନ୍‌ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ହସ୍ପିଟାଲର ଯାତାୟାତ ଓ ପାର୍କିଂ ସମସ୍ୟା କମାଇବା ପାଇଁ ନିର୍ମାଣାଧୀନ ବହୁତଳ କାର୍‌ପାର୍କିଂ ଏବଂ ତାଳଦଣ୍ଡା କେନାଲ ସହ ସଂଯୋଜିତ ଟ୍ରାଫିକ୍‌ କରିଡର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ଏହାସହ ଏସ୍‌ସିବି ନିକଟସ୍ଥ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ୱର ବିକାଶ, ରାସ୍ତା ପ୍ରଶସ୍ତୀକରଣ ଓ ସୌନ୍ଦର୍ଯ୍ୟୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏସ୍‌ସିବି ସହିତ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଏବଂ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ଅଞ୍ଚଳର ସମନ୍ୱିତ ବିକାଶ ଯୋଜନାକୁ ମଧ୍ୟ ପ୍ରକଳ୍ପରେ ସାମିଲ କରାଯାଇଛି।

ଅନ୍ୟପଟେ ରାଉରକେଲାର ହନୁମାନ ବାଟିକା ଓ ଏହାର ଆଖପାଖ ଅଞ୍ଚଳର ବିକାଶ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏଠାରେ ନୂଆ ନିର୍ମାଣକୁ ଅଞ୍ଚଳର ଆଧ୍ୟାତ୍ମିକ ପରିବେଶ ଓ ଐତିହ୍ୟ ସହ ସମନ୍ୱୟ ରଖି କରିବାକୁ ପରାମର୍ଶ ଦିଆଯାଇଛି।ସମସ୍ତ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ଅକ୍ଷୁଣ୍ଣ ରଖିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏସ୍‌ସିବିର ନୂଆ ମେଡିସିନ୍‌ ବ୍ଲକ୍‌ ସହ ଚାଲିଥିବା ବିଭିନ୍ନ ପୁନଃବିକାଶ କାର୍ଯ୍ୟ ଆଗାମୀ ଦିନରେ ହସ୍ପିଟାଲର ଚିକିତ୍ସା ଓ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆଶା କରାଯାଉଛି।

You may also like

Leave a Comment