Home Odishaପ୍ରାକୃତିକ ଦ୍ରବ୍ୟରେ କେନ୍ଦୁଝରରେ ପାଳିତ ହେଲା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ପ୍ରାକୃତିକ ଦ୍ରବ୍ୟରେ କେନ୍ଦୁଝରରେ ପାଳିତ ହେଲା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

by Gulshan Pandey
0 comments

କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଆଦିବାସୀ ସଂସ୍କୃତି ଓ ପାରମ୍ପରିକ ନୀତିନିୟମ ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି। ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ଓ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା।

ସକାଳେ ପ୍ରଭୁଙ୍କ ଅବକାଶ ନୀତି, ଲୁଗାଲାଗି ଓ ପୁଷ୍ପାଞ୍ଜଳି ନୀତି ସମ୍ପନ୍ନ ହେବା ପରେ ପ୍ରାୟ ସକାଳ ୧୦ଟାରେ ସୁଦର୍ଶନ, ପ୍ରଭୁ ଶ୍ରୀବଳଦେବଜୀଉ, ଦେବୀ ସୁଭଦ୍ରା ଏବଂ ବଡ଼ଠାକୁର ଶ୍ରୀଜଗନ୍ନାଥ ଶୂନ୍ୟ ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ। ପରେ ସ୍ନାନମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ସ୍ୱର୍ଣ୍ଣପାତ୍ରରେ ସଂରକ୍ଷିତ ସୁବାସିତ ଜଳରେ ଶ୍ରୀବିଗ୍ରହମାନଙ୍କ ଦେବସ୍ନାନ ସମ୍ପନ୍ନ କରାଯାଇଥିଲା।

ପାରମ୍ପରିକ ନୀତି ଅନୁସାରେ ପ୍ରଭୁ ବଳଭଦ୍ରଙ୍କୁ ୩୫ ଗରା, ଶ୍ରୀଜଗନ୍ନାଥଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।

ଦେବସ୍ନାନ ପରେ ଶ୍ରୀବିଗ୍ରହମାନଙ୍କୁ ବିରଳ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଏହି ପରମ୍ପରାରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଅଁଳାପତ୍ର, ଶ୍ରୀଜଗନ୍ନାଥଙ୍କୁ ତୁଳସୀପତ୍ରରେ ଗଜାନନ ବେଶ ପ୍ରଦାନ କରାଯାଇଥିବାବେଳେ ଦେବୀ ସୁଭଦ୍ରାଙ୍କୁ କୁଆଁରୀ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତମାନଙ୍କର ବ୍ୟାପକ ସମାଗମ ଦେଖିବାକୁ ମିଳିଥିଲା।

ଆଦିବାସୀ ସଂସ୍କୃତି ଓ ଶ୍ରୀଜଗନ୍ନାଥ ପରମ୍ପରାର ଅନନ୍ୟ ସମନ୍ୱୟର ପ୍ରତୀକ ଭାବେ କେନ୍ଦୁଝରର ଏହି ଦେବସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ।

You may also like

Leave a Comment