ନୂଆଦିଲ୍ଲୀ: ନୀଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଦେଶବ୍ୟାପୀ ତୀବ୍ର ଜନଆକ୍ରୋଶ, ଛାତ୍ର ଆନ୍ଦୋଳନ ଓ ବିରୋଧୀ ଦଳମାନଙ୍କ ଚାପ ମଧ୍ୟରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଯୁବ ସଂଗଠନମାନେ ନୀଟ୍ ପରୀକ୍ଷାର ସ୍ୱଚ୍ଛତା ଓ ନିଷ୍ପକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆନ୍ଦୋଳନ ଜାରି ରଖିଥିଲେ। ଏହି ଆନ୍ଦୋଳନରେ କକ୍ରୋଚ୍ ଜନତା ପାର୍ଟି (ସିଜେପି), ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ ସାମିଲ ହୋଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନୀଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମନରେ ଅନିଶ୍ଚିତତା ସୃଷ୍ଟି କରିଛି। ଏପରି ପରିସ୍ଥିତିରେ ଚାଲିଥିବା ଯୁବ-ଛାତ୍ର ଆନ୍ଦୋଳନକୁ କୌଣସି ଦେଶବିରୋଧୀ କିମ୍ବା ଅସାମାଜିକ ଶକ୍ତି ନିଜ ସ୍ୱାର୍ଥ ପାଇଁ ବ୍ୟବହାର ନକରନ୍ତୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହୁ, ସେଥିପାଇଁ ସେ ନୈତିକ ଦାୟିତ୍ୱ ସ୍ୱୀକାର କରି ପଦ ଛାଡ଼ିବାର ନିଷ୍ପତ୍ତି ନେଇଥିବା କହିଛନ୍ତି।
ଏହି ଘଟଣା ପରେ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା, ପରୀକ୍ଷା ପରିଚାଳନା ଏବଂ ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଦାବି ଉଠିଛି।
