Home SPORTSରାଜ୍ୟସ୍ତରୀୟ କନିଷ୍ଠ ଆଥଲେଟିକ୍ସକୁ ନେଇ ରାଇରଙ୍ଗପୁରରେ ଚଳଚଞ୍ଚଳ

ରାଜ୍ୟସ୍ତରୀୟ କନିଷ୍ଠ ଆଥଲେଟିକ୍ସକୁ ନେଇ ରାଇରଙ୍ଗପୁରରେ ଚଳଚଞ୍ଚଳ

by Lokanath Panigrahi
0 comments

ରାଇରଙ୍ଗପୁର: ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ତିନି ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୦୦ରୁ ଅଧିକ କନିଷ୍ଠ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଉଦୀୟମାନ ଆଥଲେଟ୍‌ମାନଙ୍କ ପାଇଁ ଏହି ପ୍ରତିଯୋଗିତା ନିଜ ପ୍ରତିଭା ପ୍ରଦର୍ଶନର ଏକ ବଡ଼ ମଞ୍ଚ ପାଲଟିଛି।ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଉପଜିଲ୍ଲାପାଳ ଉଗ୍ରେସନ ଓରାମ, ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ଅଧିକାରୀ ଓ କ୍ରୀଡ଼ା ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।

ଓଡ଼ିଶା ଆଥଲେଟିକ୍ସ ଆସୋସିଏସନର ପଦାଧିକାରୀ, ଜିଲ୍ଲା ଆଥଲେଟିକ୍ସ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ ଓ କ୍ରୀଡ଼ାପ୍ରେମୀମାନେ ମଧ୍ୟ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ବିଶେଷ ଅତିଥି ଭାବେ ଅନ୍ତର୍ଜାତୀୟ ହାର୍ଡଲ୍ସ ଖେଳାଳି ଅନୁରାଧା ବିଶ୍ୱାଳ ଏବଂ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗୌରବମୟ କରିଥିଲା।ଉଦ୍‌ଘାଟନୀ ପର୍ବରେ ଅତିଥିମାନେ ପ୍ରତିଯୋଗିତାର ପତାକା ଉତ୍ତୋଳନ କରିଥିଲେ। ପରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ। ଆୟୋଜକଙ୍କ ପକ୍ଷରୁ ଅତିଥି ଓ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଦୀର୍ଘଦିନ ଧରି ଅବଦାନ ରଖିଥିବା କିଛି ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରବୋଧ କୁମାର ମହାନ୍ତି, ଲାଲମୋହନ ମହାନ୍ତ, ବୀରଧାନ ମାରାଣ୍ଡି, ପ୍ରସାଦ ମହାନ୍ତ, ପୂର୍ଣ୍ଣିମା ହେମ୍ବ୍ରମ, ପୁଙ୍ଗା ସୋରେନ, କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ତିନି ଦିନିଆ ଏହି ପ୍ରତିଯୋଗିତାରେ କନିଷ୍ଠ ଖେଳାଳିମାନେ ବିଭିନ୍ନ ଦୌଡ଼କୁଦ ବିଭାଗରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ। ଏହି ମଞ୍ଚରୁ ରାଜ୍ୟର ଅନେକ ପ୍ରତିଭାବାନ ଖେଳାଳି ଆଗାମୀ ଦିନରେ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହେବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆୟୋଜନର ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସୁଚାରୁ ଭାବେ ପ୍ରତିଯୋଗିତା ପରିଚାଳନା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସହଯୋଗ କରୁଛନ୍ତି। ରାଇରଙ୍ଗପୁରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ନେଇ ଖେଳାଳି, ଅଭିଭାବକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

You may also like

Leave a Comment