ବଲାଙ୍ଗୀର: ଚୋରା ଗଞ୍ଜେଇ ଚାଲାଣ ପାଇଁ ଅଭିନବ ଉପାୟ ଆପଣାଇଥିଲେ ଚାଲାଣକାରୀ। କ୍ଷୀର ନେବା ପାଇଁ ବ୍ୟବହୃତ ଜାର ଭିତରେ ଗଞ୍ଜେଇ ଭର୍ତ୍ତି କରି ବାଇକ୍ରେ ଚାଲାଣ କରାଯାଉଥିଲା। ତେବେ ତୁଷୁରା ଅବକାରୀ ବିଭାଗର ଚଢ଼ାଉ ବେଳେ ଏହି ଯୋଜନା ପଣ୍ଡ ହୋଇଛି। ଘଟଣାରେ ତିନି ଜଣଙ୍କୁ ଧରାଯିବା ସହ ଦୁଇଟି ବାଇକ୍ ଜବତ କରାଯାଇଛି।ତୁଷୁରା ଅବକାରୀ ଥାନା ଅଧୀନ କୁକୁରଖାଇ-ତୁଷୁରା ରାସ୍ତାରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅଧିକାରୀମାନେ ରାସ୍ତାରେ ଯାଞ୍ଚ ଓ ଚଢ଼ାଉ କରିଥିଲେ। ଏହି ସମୟରେ କ୍ଷୀର ଜାରରେ ଗଞ୍ଜେଇ ନେଇ ଯାଉଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ କାବୁ କରାଯାଇଥିଲା।
ଅବକାରୀ ବିଭାଗର ସୂଚନା ଅନୁସାରେ, ଧରାପଡ଼ିଥିବା ଯୁବକମାନେ ଛତିଶଗଡ଼ର ବିଳାସପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ବୌଦ୍ଧ ଜିଲ୍ଲାର ଦେଉଳି ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ଅନ୍ୟତ୍ର ନେଇଯାଉଥିବା ବେଳେ ଧରାପଡ଼ିଥିବା କୁହାଯାଇଛି।
ଚଢ଼ାଉ ସମୟରେ ଦୁଇଟି ବାଇକ୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଜବତ ଗଞ୍ଜେଇର ଓଜନ ପ୍ରାୟ ୪୪ କିଲୋଗ୍ରାମ ବୋଲି କୁହାଯାଇଛି। ଏଥିସହ ଦୁଇଟି ବାଇକ୍ ଓ ବିଭିନ୍ନ ସ୍ଥାନର ଗାଡ଼ି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି।ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଗଞ୍ଜେଇ ଚାଲାଣ ନେଇ ପୂର୍ବରୁ ମିଳିଥିବା ସୂଚନା ଆଧାରରେ ଟିମ୍ ନଜର ରଖିଥିଲା। ପରେ ସନ୍ଦେହଜନକ ବାଇକ୍ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯିବାରୁ ଗଞ୍ଜେଇ ମିଳିଥିଲା।
ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ତୁଷୁରା ରାସ୍ତା ଗଞ୍ଜେଇ ଚାଲାଣକାରୀଙ୍କ ଗତିବିଧି ପାଇଁ ଏକ ପ୍ରମୁଖ ରୁଟ୍ ହୋଇଥିବା ଅବକାରୀ ବିଭାଗ ନଜରକୁ ଆସିଛି। ଏହି ରାସ୍ତା ଦେଇ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ରହିଛି।ଗଞ୍ଜେଇ ଚୋରା କାରବାର ରୋକିବାକୁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ ଜାରି ରହିଥିଲେ ମଧ୍ୟ ଚାଲାଣକାରୀମାନେ ନୂଆ ନୂଆ ଉପାୟରେ ଏହି ବେଆଇନ କାରବାର କରୁଥିବା ଘଟଣାରୁ ସ୍ପଷ୍ଟ ହୋଇଛି। ଧରାପଡ଼ିଥିବା ତିନି ଜଣଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଛି।
