Home Featuredଓଡ଼ିଶା T20 ଲିଗ୍ CM ଟ୍ରଫି: ବ୍ରାଣ୍ଡ ଆମ୍ବାସାଡର ହେଲେ ସୁରେଶ ରୈନା ଓ ଦେବାଶିଷ ମହାନ୍ତି

ଓଡ଼ିଶା T20 ଲିଗ୍ CM ଟ୍ରଫି: ବ୍ରାଣ୍ଡ ଆମ୍ବାସାଡର ହେଲେ ସୁରେଶ ରୈନା ଓ ଦେବାଶିଷ ମହାନ୍ତି

by Lokanath Panigrahi
0 comments

କଟକ: ଓଡ଼ିଶାରେ ଟି-୨୦ କ୍ରିକେଟକୁ ନୂଆ ଉତ୍ସାହ ଦେବାକୁ ଯାଉଛି ଓଡ଼ିଶା T20 ଲିଗ୍ ୨୦୨୬ CM ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସାଡର ଭାବେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଓ ଓଡ଼ିଶାର ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ସାମିଲ କରାଯାଇଛି।

ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି ଲିଗ୍ ଖେଳାଯିବ। ମୋଟ ୬ଟି ଦଳ ମଧ୍ୟରେ ଟାଇଟଲ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଯୁବ ଓ ଉଦୀୟମାନ କ୍ରିକେଟରମାନେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

ସୁରେଶ ରୈନା ବ୍ରାଣ୍ଡ ଆମ୍ବାସାଡର ଦାୟିତ୍ୱ ମିଳିବା ନେଇ ଖୁସି ପ୍ରକାଶ କରିଛନ୍ତି। ଓଡ଼ିଶାର କ୍ରିକେଟପ୍ରେମୀଙ୍କ ପାଇଁ ଏହି ଲିଗ୍ ଏକ ରୋମାଞ୍ଚକର ଅବସର ହେବ ବୋଲି ସେ କହିଛନ୍ତି। ଯୁବ ଖେଳାଳିଙ୍କୁ ନିଜ ପ୍ରତିଭା ଦେଖାଇବା ସହ ପ୍ରତିଯୋଗିତାମୂଳକ କ୍ରିକେଟର ଅଭିଜ୍ଞତା ହାସଲ ପାଇଁ ଏହି ମଞ୍ଚ ସହାୟକ ହେବ ବୋଲି ରୈନା ମତ ଦେଇଛନ୍ତି।

ସେହିପରି ଦେବାଶିଷ ମହାନ୍ତି ମଧ୍ୟ ଲିଗ୍‌କୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି। ବାରବାଟୀରେ ଟି-୨୦ କ୍ରିକେଟର ରୋମାଞ୍ଚ ଦେଖିବାକୁ ଓଡ଼ିଶାର କ୍ରିକେଟପ୍ରେମୀମାନେ ଅପେକ୍ଷା କରିଥିବାବେଳେ, ଏହି ଲିଗ୍ ଖେଳାଳିମାନଙ୍କୁ ଚାପପୂର୍ଣ୍ଣ ପରିସ୍ଥିତିରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ଦେବ ବୋଲି ସେ କହିଛନ୍ତି।

ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ବ୍ରାଣ୍ଡ ଆମ୍ବାସାଡର କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ରୈନା ଓ ମହାନ୍ତିଙ୍କ ଅଭିଜ୍ଞତା ଏବଂ ଉପସ୍ଥିତି ଲିଗ୍‌କୁ ଅଧିକ ଆକର୍ଷଣୀୟ କରିବା ସହ ରାଜ୍ୟର ଯୁବ କ୍ରିକେଟରଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୬ ଦଳ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ

ଓଡ଼ିଶା T20 ଲିଗ୍ ୨୦୨୬ CM ଟ୍ରଫିରେ ଭାଗ ନେବାକୁ ଥିବା ୬ଟି ଦଳ ହେଲେ—

  • ଭୁବନେଶ୍ୱର ଟାଇଗର୍ସ
  • ପୁରୀ ଟାଇଟାନ୍ସ
  • କେନ୍ଦୁଝର ମାଇନର୍ସ
  • ରାଉରକେଲା ସୁପରଷ୍ଟାର୍ସ
  • ସମ୍ବଲପୁର ୱାରିୟର୍ସ
  • କଟକ ପାନ୍ଥର୍ସ

ଯୁବ ପ୍ରତିଭାଙ୍କୁ ବଡ଼ ମଞ୍ଚ ଦେବା ସହ ଓଡ଼ିଶାରେ ଟି-୨୦ କ୍ରିକେଟର ପରିବେଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ଲିଗ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବାରବାଟୀରେ ୬ଟି ଦଳର ଲଢ଼େଇ ମଧ୍ୟରେ କ୍ରିକେଟପ୍ରେମୀଙ୍କୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ।

You may also like

Leave a Comment