ଆସନ୍ତା ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥାକୁ ନେଇ ସରକାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ଆଗ୍ରିଷ୍ଟାକ ପଞ୍ଜିକରଣ ଏବେ ଚାଷୀଙ୍କ ପାଇଁ ଅନିବାର୍ଯ୍ୟ ନୁହେଁ। ତେଣୁ ଆଗ୍ରିଷ୍ଟାକ ନଥିବା କାରଣରୁ କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ। ଆଗ୍ରିଷ୍ଟାକ ପଞ୍ଜିକରଣ କଲେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଫାର୍ମର ଆଇଡି ମିଳିବ ଏବଂ ସରକାରୀ କୃଷି ସୁବିଧା ପାଇବାରେ ପ୍ରକ୍ରିୟା ସହଜ ହେବ। ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଚାଷୀ ଆଗ୍ରିଷ୍ଟାକରେ ପଞ୍ଜିକରଣ କରିଛନ୍ତି। ଚାଷୀଙ୍କ ପଞ୍ଜିକରଣ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ।
ଭାଗଚାଷୀଙ୍କୁ ଧାନ ବିକ୍ରି ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ ହେଉଛି। ଏହା ମାଧ୍ୟମରେ ସମ୍ଭାବ୍ୟ ଦ୍ୱନ୍ଦ୍ୱର ସମାଧାନ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।ଖରିଫ ୨୦୨୬-୨୭ ପାଇଁ ଏପର୍ଯ୍ୟନ୍ତ ୯୪,୬୫୭ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ ପାଇଁ ପାକ୍ସ, କମନ ସର୍ଭିସ ସେଣ୍ଟର ଓ ଅନ୍ୟ ସହାୟତା କେନ୍ଦ୍ରରେ ସୁବିଧା ଉପଲବ୍ଧ ରହିଛି। ଚାଷୀଙ୍କୁ ସହଯୋଗ କରିବା ସହ ପଞ୍ଜିକରଣ ପରେ ରସିଦ ଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆଗ୍ରିଷ୍ଟାକ ସହିତ କିମ୍ବା ଏହା ବିନା ମିଳୁଥିବା ଉଭୟ ପଞ୍ଜିକରଣ ପ୍ରାପ୍ତିପତ୍ର ବୈଧ। ରାଜ୍ୟର କୌଣସି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ଏଥିପାଇଁ ସରକାର ପ୍ରତିବଦ୍ଧ ବୋଲି କୁହାଯାଇଛି।
