କଣ୍ଟାମାଳର ଲମ୍ବସରୀ ପଞ୍ଚାୟତରେ ଏସ୍ଆଇଆର୍ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଶୁଣାଣିକୁ ନେଇ ଅବ୍ୟବସ୍ଥା ଅଭିଯୋଗ ହୋଇଛି। ନୋଟିସ୍ ପାଇଥିବା ୫୦ରୁ ଅଧିକ ଭୋଟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ ଅପେକ୍ଷା କରିଥିଲେ। ତେବେ ଶୁଣାଣି ପାଇଁ ନିଯୁକ୍ତ ଅଧିକାରୀ ଉପସ୍ଥିତ ନଥିବାରୁ ସେମାନଙ୍କ ଅଭିଯୋଗ ଓ ଆପତ୍ତିର ଶୁଣାଣି ହୋଇପାରିନଥିଲା।ଦୂରଦୂରାନ୍ତର ଗାଁରୁ ଆସିଥିବା ପୁରୁଷ ଓ ମହିଳା ଭୋଟରଙ୍କ ସହ କିଛି ବିଏଲ୍ଓ ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଅପେକ୍ଷା କରିଥିବା ଜଣାପଡ଼ିଛି। ନିର୍ଦ୍ଧାରିତ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ନପହଞ୍ଚିବାରୁ ଶେଷରେ ଭୋଟରମାନେ ନିରାଶ ହୋଇ ଫେରିଥିଲେ।
ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ସ୍ପଷ୍ଟତାର ଅଭାବ ଦେଖାଦେଇଛି। ଦାୟିତ୍ୱରେ କିଏ ଥିଲେ ଏବଂ ସେ ଶୁଣାଣିରେ କାହିଁକି ଉପସ୍ଥିତ ରହିଲେ ନାହିଁ, ତାହା ନେଇ ତଦନ୍ତ କରାଯାଉଥିବା ଅଧିକାରୀମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନେବାର ଆଶ୍ୱାସନ ଦିଆଯାଇଛି।
ପୂର୍ବରୁ ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ନେଇ କିଛି କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ, ଏବେ ଶୁଣାଣିରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ନେଇ ପ୍ରଶ୍ନ ଉଠିଛି।
