ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ରାଜସ୍ୱ ଆଦାୟ ଓ ବିକାଶମୂଳକ ବ୍ୟୟରେ ବୃଦ୍ଧି ଦେଖାଯାଇଛି। ବିଭିନ୍ନ ଉତ୍ସରୁ ରାଜ୍ୟର ମୋଟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବବର୍ଷର ସମାନ ଅବଧି ତୁଳନାରେ ଏହା ୭.୩ ପ୍ରତିଶତ ଅଧିକ।
ଜୁଲାଇ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟରେ ୧୧.୯ ପ୍ରତିଶତ ବୃଦ୍ଧି ହୋଇଛି। ନିଜସ୍ୱ ଟିକସ ରାଜସ୍ୱ ୯.୩ ପ୍ରତିଶତ ଏବଂ ଅଣଟିକସ ରାଜସ୍ୱ ୧୪.୮ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ସରକାରଙ୍କ ବିକାଶମୂଳକ ବ୍ୟୟ ମଧ୍ୟ ଗତି ପାଇଛି। ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପୂର୍ବବର୍ଷର ସମାନ ସମୟ ତୁଳନାରେ ୧୯.୧ ପ୍ରତିଶତ ବୃଦ୍ଧି ପାଇଛି। ପୁଞ୍ଜିଗତ ବ୍ୟୟ ୧୧,୩୦୦ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷର ୯,୩୯୯ କୋଟି ଟଙ୍କା ତୁଳନାରେ ୨୦.୨ ପ୍ରତିଶତ ଅଧିକ।ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା ବୈଠକ ସମୟରେ ଏହି ଆର୍ଥିକ ଚିତ୍ର ସାମ୍ନାକୁ ଆସିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ସହ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ପାଇଁ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକ ବୋଲି ସେ କହିଛନ୍ତି। ବିଭିନ୍ନ ବିଭାଗ ରାଜସ୍ୱ ଆଦାୟ ଓ ପୁଞ୍ଜି ବ୍ୟୟ ବଢ଼ାଇବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
