Home Featuredଲଗାଣ ବର୍ଷାରେ ବଢୁଛି ନଦୀର ଜଳସ୍ତର, ବାଲେଶ୍ୱରରେ ବନ୍ୟା ସ୍ଥିତି

ଲଗାଣ ବର୍ଷାରେ ବଢୁଛି ନଦୀର ଜଳସ୍ତର, ବାଲେଶ୍ୱରରେ ବନ୍ୟା ସ୍ଥିତି

by Lokanath Panigrahi
0 comments

ବାଲେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅନେକ ଗାଁକୁ ବନ୍ୟାଜଳ ଘେରିଥିବା ବେଳେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।

ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରେ ଅଧିକ ବର୍ଷା ହେଉଥିବାରୁ ରାଜଘାଟରେ ଜଳସ୍ତର ଲଗାତାର ବଢ଼ୁଛି। ରାଜଘାଟରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୧୬ ମିଟର ରେକର୍ଡ ହୋଇଛି। ଅର୍ଥାତ୍ ସତର୍କ ସୀମାଠାରୁ ପ୍ରାୟ ୦.୭୧ ମିଟର ଅଧିକ ଉଚ୍ଚତାରେ ଜଳ ପ୍ରବାହିତ ହେଉଛି।

ଏହାର ପ୍ରଭାବରେ ବାଲିଆପାଳ ସମେତ ସୁବର୍ଣ୍ଣରେଖା ଅବବାହିକାର ତଳିଆ ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ହୋଇଛି। ଉପରମୁଣ୍ଡରୁ ଆସୁଥିବା ଅତିରିକ୍ତ ଜଳ ଆଗାମୀ ସମୟରେ ସ୍ଥିତିକୁ ଆହୁରି ପ୍ରଭାବିତ କରିପାରେ।

ସେହିପରି ଜଳକା ନଦୀରେ ମଧ୍ୟ ଜଳସ୍ତର ବିପଦ ସୀମା ଟପିଛି। ମଥାନୀଠାରେ ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୭୮ ମିଟରକୁ ବୃଦ୍ଧି ପାଇଛି। ଫଳରେ ବିପଦ ସଙ୍କେତଠାରୁ ୦.୨୮ ମିଟର ଉପରେ ନଦୀର ଜଳ ପ୍ରବାହିତ ହେଉଛି।

ମୟୂରଭଞ୍ଜର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡ଼ା ଓ ଚିତ୍ରଡ଼ା ଅଞ୍ଚଳରେ ଲଗାଣ ବର୍ଷା ଏବଂ ବାଲେଶ୍ୱରର ବସ୍ତା ଅଞ୍ଚଳରେ ଲଗାତାର ବର୍ଷା ହେବାରୁ ଜଳକା ନଦୀରେ ଜଳପ୍ରବାହ ବଢ଼ିଥିବା କୁହାଯାଉଛି।

ବନ୍ୟାଜଳର ପ୍ରଭାବ ବସ୍ତା ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୫ଟି ପଞ୍ଚାୟତରେ ପଡ଼ିଛି। କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଗାଁଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।

ବାଲେଶ୍ୱର ଜିଲ୍ଲାର ୩୦ରୁ ଅଧିକ ଗାଁ ବନ୍ୟାଜଳ ଘେରରେ ଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ପୂର୍ବରୁ ବନ୍ୟାରେ ଫସଲ ନଷ୍ଟ ହୋଇଥିବା କେତେକ ଚାଷୀ ପୁଣି ଚାଷ ଆରମ୍ଭ କରିଥିଲେ। ହେଲେ ନୂଆ ବନ୍ୟା ପରିସ୍ଥିତି ସେମାନଙ୍କ ଚାଷକୁ ପୁଣି ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।

ବାରମ୍ବାର ବନ୍ୟାର ସମ୍ମୁଖୀନ ହେଉଥିବା ଚାଷୀମାନେ ଏବେ କ୍ଷୟକ୍ଷତିର ଆକଳନ ସହ ସରକାରୀ ସହାୟତା ଦାବି କରିଛନ୍ତି। ଚାଷ ପାଇଁ ପୁଣି ଆବଶ୍ୟକ ସମ୍ବଳ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଥିବାରୁ ଶୀଘ୍ର ସହାୟତା ମିଳୁ ବୋଲି ସେମାନେ ଆଶା କରୁଛନ୍ତି।

ଅନ୍ୟପଟେ ମହାନଦୀର ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଜଳ ଛଡ଼ାଯାଇଛି। ଆଉ ୩ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍ ଥିବା ସୂଚନା ମିଳିଛି। ଉପରମୁଣ୍ଡରୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ଥିତିକୁ ଆଧାର କରି ଜଳ ନିଷ୍କାସନ ଜାରି ରହିଛି।

ହୀରାକୁଦରୁ ଅଧିକ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ଉପରେ ନଜର ରଖାଯାଉଛି। ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ନିର୍ଦ୍ଦେଶ ଓ ସତର୍କ ସୂଚନା ଅନୁସରଣ କରିବା ଜରୁରୀ।

You may also like

Leave a Comment