Home Featuredଆଜି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ମଇଦାନରେ ୬,୮୯୧ ପ୍ରାର୍ଥୀ

ଆଜି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ମଇଦାନରେ ୬,୮୯୧ ପ୍ରାର୍ଥୀ

by Shubham Kumar
0 comments

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆଜି ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିଜ ନିଜ ଶିକ୍ଷାନୁଷ୍ଠାନରେ ଛାତ୍ର ପ୍ରତିନିଧି ବାଛିବା ପାଇଁ ଛାତ୍ରଛାତ୍ରୀମାନେ ମତଦାନ କରିବେ। ଏହାକୁ ନେଇ ବିଭିନ୍ନ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳିଛି।

ଗୁରୁବାର ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ଶେଷ ହେବା ପରେ ଭୋଟ୍ ଗଣତି ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ହେବାର ଆଶା କରାଯାଉଛି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶୁକ୍ରବାର ଶପଥ ଗ୍ରହଣ କରିବେ।

ନିର୍ବାଚନ ମଇଦାନରେ ୬,୮୯୧ ପ୍ରାର୍ଥୀ

ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିମଧ୍ୟରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୩୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅନ୍ୟପଟେ, ୪୨ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛନ୍ତି।

ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ପ୍ରଚାର ଓ ନିର୍ବାଚନୀ କାର୍ଯ୍ୟକଳାପ ଜୋର ଧରିଥିଲା।

୧୨ରୁ ଅଧିକ କଲେଜରେ ନିର୍ବାଚନ ବାତିଲ

ଅନ୍ୟପଟେ, ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ୭ରୁ ଅଧିକ କଲେଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ (ସାଇନ୍ ଡାଏ) ଜାରି ହୋଇଥିବାବେଳେ ୧୨ରୁ ଅଧିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି।

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବୁଧବାର ବିଭିନ୍ନ କ୍ୟାମ୍ପସରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ (Why I Stand For) ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାର୍ଥୀମାନେ ନିଜ ନିଜର ମତ ଓ ନିର୍ବାଚନରେ ଛିଡ଼ା ହେବାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।

ଏବିଭିପି, ବିସିଜେଡି ଓ ଛାତ୍ର କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ଛାତ୍ର ସଂସଦ ନିର୍ବାଚନରେ ଏବିଭିପି (ABVP), ବିସିଜେଡି (BCJD) ଓ ଛାତ୍ର କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଜୋରଦାର ଉଦ୍ୟମ କରିଛନ୍ତି।

ଦୀର୍ଘ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଏଥର କେଉଁ ପ୍ରାର୍ଥୀ ବାଜିମାତ୍ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମତଦାନ ଓ ଭୋଟ୍ ଗଣତି ପରେ ଛାତ୍ରଛାତ୍ରୀଙ୍କ ପସନ୍ଦ ସ୍ପଷ୍ଟ ହେବ।

You may also like

Leave a Comment