Home Featured୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଜଳସ୍ରୋତରେ ଭାସିଯାଇଥିବା ଯୁବକଙ୍କ ମୃତଦେହ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଜଳସ୍ରୋତରେ ଭାସିଯାଇଥିବା ଯୁବକଙ୍କ ମୃତଦେହ

by Sunita Jena
0 comments

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁସିଆ ଡ୍ୟାମ ନିକଟରେ ଅଘଟଣ ଘଟିଛି। ପ୍ରଖର ପାଣି ସୁଅରେ ଭାସିଯାଇ ଜଣେ ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଥିଲେ। ପ୍ରାୟ ୬ ଘଣ୍ଟାର ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକ ହେଉଛନ୍ତି କୋଚିଳାଖୁଣ୍ଟା ପଞ୍ଚାୟତ ଅଧୀନ ପାଉଁସିଆ ଗ୍ରାମର ୩୫ ବର୍ଷୀୟ ପ୍ରଫୁଲ ଖଟୁଆଳ। ସୂଚନା ଅନୁସାରେ, ପ୍ରଫୁଲ ମାଛ ଧରିବା ପାଇଁ ଡ୍ୟାମ ନିକଟକୁ ଯାଇଥିଲେ। ସେଠାରେ ପାଣିର ତୀବ୍ର ସ୍ରୋତରେ ସେ ଭାସିଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ।

ଘଟଣାର ଖବର ପାଇ ବଡ଼ସାହି ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ବ୍ରିଜ୍ ନିକଟରୁ ପ୍ରଫୁଲଙ୍କ ମୃତଦେହ ମିଳିଥିଲା।

ଘଟଣାସ୍ଥଳରେ ବ୍ଲକ୍ ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ବଡ଼ସାହି ପୁଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରଫୁଲଙ୍କ ମୃତ୍ୟୁ ଖବର ପରେ ପାଉଁସିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବନ୍ୟାଜଳରେ ଭାସିଯାଉଥିବା ଯୁବକ ଉଦ୍ଧାର

ଅନ୍ୟପଟେ, ବାଙ୍ଗିରିପୋଷି ଥାନା ଅଞ୍ଚଳର ନୂଆଗାଁରେ ଏକ ଯୁବକ ବନ୍ୟାଜଳରେ ଭାସିଯାଇଥିଲେ। ୩୦ ବର୍ଷୀୟ ବାଜୁନ ହାଁସଦା ନାଳା ନିକଟରେ ବନ୍ୟାଜଳ ଦେଖୁଥିବା ସମୟରେ ଅସାବଧାନତାବଶତଃ ପାଣିରେ ପଡ଼ିଯାଇଥିଲେ।

ପ୍ରଖର ସ୍ରୋତରେ କିଛି ଦୂର ଭାସିଯିବା ପରେ ସେ ଏକ ବାଉଁଶକୁ ଧରି ରହିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ପରେ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

ବର୍ଷା ଓ ବନ୍ୟା ସମୟରେ ନଦୀ, ନାଳା ଓ ଡ୍ୟାମ ନିକଟକୁ ନଯିବାକୁ ସାଧାରଣ ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।

You may also like

Leave a Comment