ଭାରତର ସମୁଦ୍ର ସମ୍ପଦ ଓ ଗଭୀର ସମୁଦ୍ରର ଜୈବ ବିବିଧତାକୁ ନେଇ ଆସିଛି ଏକ ବଡ଼ ଅଧ୍ୟୟନ। ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟର ଫର୍ ମେରାଇନ୍ ଲିଭିଂ ରିସୋର୍ସେସ୍ ଆଣ୍ଡ ଇକୋଲୋଜି (CMLRE) ପକ୍ଷରୁ ‘ନ୍ୟାସନାଲ୍ ରିପୋର୍ଟ ଅନ୍ ଡିପ୍-ସି ଆଣ୍ଡ ଡିଷ୍ଟାଣ୍ଟ-ୱାଟର ଫିସେରି ରିସୋର୍ସେସ୍ ଅଫ୍ ଦି ଇଣ୍ଡିଆନ୍ EEZ’ ପ୍ରକାଶ ପାଇଛି।
CMLREର ରୌପ୍ୟ ଜୟନ୍ତୀ ଅବସରରେ ପ୍ରକାଶିତ ଏହି ରିପୋର୍ଟରେ ଭାରତର ୨.୩୭ ନିୟୁତ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ (EEZ)ର ସାମୁଦ୍ରିକ ସମ୍ପଦ ଓ ପରିବେଶ ସମ୍ପର୍କରେ ବ୍ୟାପକ ତଥ୍ୟ ସଂକଳନ କରାଯାଇଛି। ପ୍ରାୟ ଚାରି ଦଶନ୍ଧିର ସାମୁଦ୍ରିକ ଗବେଷଣା ଏବଂ ତିନି ଦଶନ୍ଧିର ବ୍ୟବସ୍ଥିତ ସର୍ଭେ ଏହି ରିପୋର୍ଟର ମୁଖ୍ୟ ଆଧାର।
୧୯୯୦ ଦଶକର ଆରମ୍ଭରୁ ୪୦୦ରୁ ଅଧିକ ଓସିଆନୋଗ୍ରାଫିକ୍ କ୍ରୁଜ୍ ମାଧ୍ୟମରେ ସଂଗୃହୀତ ତଥ୍ୟକୁ ରିପୋର୍ଟରେ ବିଶ୍ଳେଷଣ କରାଯାଇଛି। ଏଥିରେ ଭାରତର ଫିସେରି ଆଣ୍ଡ ଓସିଆନୋଗ୍ରାଫିକ୍ ରିସର୍ଚ୍ଚ ଭେସେଲ୍ FORV ସାଗର ସମ୍ପଦାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଆରବ ସାଗର, ବଙ୍ଗୋପସାଗର, ଲକ୍ଷଦ୍ୱୀପ ଜଳରାଶି, ଆଣ୍ଡାମାନ ସାଗର ଏବଂ ସାଉଦର୍ଣ୍ଣ ଓସିଆନ୍ରେ ବହୁମୁଖୀ ସାମୁଦ୍ରିକ ଅଭିଯାନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଛି।
ରିପୋର୍ଟରେ ସମୁଦ୍ର ପୃଷ୍ଠରୁ ୨୦୦ରୁ ୧,୦୦୦ ମିଟର ଗଭୀରତା ମଧ୍ୟରେ ଥିବା ମେସୋପେଲାଜିକ୍ ବା ‘ଟ୍ୱାଇଲାଇଟ୍ ଜୋନ୍’ର ସମ୍ପଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହି ଅଞ୍ଚଳରେ ଲାଣ୍ଟର୍ନଫିଶ୍, ଗଭୀର ସମୁଦ୍ରର ଚିଙ୍ଗୁଡ଼ି ଓ ସେଫାଲୋପଡ୍ ଭଳି ଅନେକ ପ୍ରଜାତି ରହିଛନ୍ତି। ସେମାନଙ୍କର ସମୁଦ୍ର ଉପର-ତଳକୁ ଗତିବିଧି ସାମୁଦ୍ରିକ ଜୈବିକ କାର୍ବନ୍ ପମ୍ପ ଏବଂ ବିଶ୍ୱ ଜଳବାୟୁ ନିୟନ୍ତ୍ରଣରେ ମଧ୍ୟ ଗୁରୁତ୍ୱ ବହନ କରେ।
୨୦୦ ମିଟରରୁ ଅଧିକ ଗଭୀରତାରେ ମହାଦେଶୀୟ ଢାଲ ଅଞ୍ଚଳର ଡିମର୍ସାଲ୍ ସମ୍ପଦର ମଧ୍ୟ ଆକଳନ କରାଯାଇଛି। ଏଥିରେ ଗଭୀର ସମୁଦ୍ରର ଚିଙ୍ଗୁଡ଼ି, ପର୍ଚ୍ଚ, ସ୍କମ୍ବ୍ରଏଡ୍, ଫ୍ଲାଟ୍ଫିଶ୍ ଓ ଇଲ୍ ଭଳି ପ୍ରଜାତି ସାମିଲ ଅଛନ୍ତି।
ସେହିପରି ଟୁନା, ବିଲ୍ଫିଶ୍, ସାର୍କ, ଓସିଆନିକ୍ ସ୍କ୍ୱିଡ୍ ଏବଂ ଆଣ୍ଟାର୍କଟିକ୍ କ୍ରିଲ୍ ଭଳି ଦୂରସମୁଦ୍ରୀୟ ପ୍ରଜାତି ସମ୍ପର୍କରେ ମଧ୍ୟ ରିପୋର୍ଟରେ ତଥ୍ୟ ରହିଛି।
ରିପୋର୍ଟରେ କୋଲ୍ଲମ୍ ବ୍ୟାଙ୍କ, ଆଙ୍ଗ୍ରିଆ ବ୍ୟାଙ୍କ, ମାଙ୍ଗାଲୁରୁ ନିକଟ ଗଭୀର ସମୁଦ୍ର ଢାଲ, ତିରୁବନନ୍ତପୁରମ୍ ନିକଟ ସମୁଦ୍ରୀୟ ଟେରାସ୍ ସମେତ ଲକ୍ଷଦ୍ୱୀପ ଏବଂ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଆଖପାଖର ସମୁଦ୍ରକୁ ପରିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି।
ସାମୁଦ୍ରିକ ସମ୍ପଦର ଭବିଷ୍ୟତ ଆକଳନ ପାଇଁ ନୂଆ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ଫିସେରିଜ୍ ଆକୋଷ୍ଟିକ୍ସ, ପରିବେଶୀୟ DNA, ସ୍ୱୟଂଚାଳିତ ଅବଜର୍ଭିଂ ପ୍ଲାଟଫର୍ମ, ସାଟେଲାଇଟ୍ ଅବଜର୍ଭେସନ୍, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଆଧୁନିକ ଇକୋସିଷ୍ଟମ୍ ମଡେଲିଂ ଭଳି ପ୍ରଯୁକ୍ତି ଆଗାମୀ ଦିନରେ ସାମୁଦ୍ରିକ ସମ୍ପଦ ପରିଚାଳନାରେ ସହାୟକ ହେବ।
ଏହି ଅଧ୍ୟୟନ ଭାରତର ‘ଭିଜନ୍ ୨୦୪୭’ରେ ବ୍ଲୁ ଇକୋନୋମିକୁ ଗୁରୁତ୍ୱ ଦେବା ସହିତ ଜାତିସଂଘର ସସ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍-୧୪ ଏବଂ ‘ୟୁଏନ୍ ଡିକେଡ୍ ଅଫ୍ ଓସିଆନ୍ ସାଇନ୍ସ’ର ଲକ୍ଷ୍ୟ ସହ ମଧ୍ୟ ସମନ୍ୱିତ।
ପୂର୍ବତନ MoES ସଚିବ ଡ. ଏମ୍. ରବିଚନ୍ଦ୍ରନ୍ କହିଛନ୍ତି ଯେ, ସମୁଦ୍ରରୁ କେବଳ ନୂଆ ସମ୍ପଦ ଖୋଜିବା ନୁହେଁ, ବରଂ ତାହାକୁ ବୁଝିବା, ସମୁଦ୍ରୀୟ ପରିବେଶକୁ ସମ୍ମାନ କରିବା ଏବଂ ବିଜ୍ଞାନଭିତ୍ତିକ ଭାବେ ପରିଚାଳନା କରିବା ହିଁ ଦୀର୍ଘସ୍ଥାୟୀ ସମୃଦ୍ଧିର ମୁଖ୍ୟ ଆଧାର।
