ଗୁଜରାଟର ଜାମନଗର ଜିଲ୍ଲାର ରାମସାର ମାନ୍ୟତାପ୍ରାପ୍ତ ଖିଜାଡିଆ ବାର୍ଡ ସାଙ୍କ୍ଚୁଆରୀରେ ବ୍ଲାକ୍-ନେକ୍ଡ ଷ୍ଟର୍କର ସଫଳ ପ୍ରଜନନ ନେଇ ଆସିଛି ବଡ଼ ଖୁସି ଖବର। ଗୁଜରାଟ ଇକୋଲଜିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (GEER) ଫାଉଣ୍ଡେସନ୍ର ଏକ ନୂଆ ବୈଜ୍ଞାନିକ ଅଧ୍ୟୟନରେ ଅଭୟାରଣ୍ୟରେ ୪ଟି ସକ୍ରିୟ ବସା ଓ ୮ଟି ଛୁଆ ରେକର୍ଡ କରାଯାଇଛି।
ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନ ‘Journal of Threatened Taxa’ରେ ପ୍ରକାଶିତ ହୋଇଛି। ଗବେଷକମାନେ ୪୮ଟି ଜିଓ-ରେଫରେନ୍ସଡ୍ ସାମ୍ପଲିଂ ପଏଣ୍ଟରେ ବିସ୍ତୃତ ସର୍ଭେ କରିବା ସହ ୩୨୦ ଘଣ୍ଟାରୁ ଅଧିକ ସମୟ ପକ୍ଷୀଙ୍କ ଆଚରଣ ଓ ବାସସ୍ଥାନ ଉପରେ ନଜର ରଖିଥିଲେ।
ଅଧ୍ୟୟନରେ ମିଳିଥିବା ସବୁଠାରୁ ଉଲ୍ଲେଖନୀୟ ତଥ୍ୟ ହେଉଛି, ଚିହ୍ନଟ ହୋଇଥିବା ସମସ୍ତ ୪ଟି ବସାରୁ ୨ଟି ଲେଖାଏଁ ଛୁଆ ଉଡ଼ିବାରେ ସଫଳ ହୋଇଥିଲେ। ଅର୍ଥାତ୍ ଅଧ୍ୟୟନ ସମୟରେ ଫ୍ଲେଜିଂ ସକ୍ସେସ୍ ରହିଛି ୧୦୦ ପ୍ରତିଶତ। ଏହା ସହ ୫ଟି ଅଣପ୍ରଜନନକାରୀ ପ୍ରାପ୍ତବୟସ୍କ ପକ୍ଷୀଙ୍କୁ ମିଶାଇ ଏଠାରେ ଋତୁକାଳୀନ ସର୍ବାଧିକ ୨୧ଟି ବ୍ଲାକ୍-ନେକ୍ଡ ଷ୍ଟର୍କ ରେକର୍ଡ ହୋଇଥିଲା।
ବିଶେଷ କଥା ହେଉଛି, ଏହି ପକ୍ଷୀମାନେ ନେଲଟୁମା ଜୁଲିଫ୍ଲୋରା ଗଛରେ ୩ରୁ ୪.୫ ମିଟର ଉଚ୍ଚତାରେ ବସା ତିଆରି କରିଥିଲେ। ସାଧାରଣତଃ ଏହି ପ୍ରଜାତି ବଡ଼ ଦେଶୀ ଗଛ ଯଥା ଆକାସିଆ ଓ ଡୁମୁର ଗଛକୁ ବସା ପାଇଁ ବ୍ୟବହାର କରେ। ତେବେ ଦେଶୀ ଗଛର ଅଭାବ ଥିବା ସ୍ଥାନରେ ଉପଯୁକ୍ତ ଗଠନ ଥିବା ଅନ୍ୟ ଗଛକୁ ମଧ୍ୟ ଏହା ବ୍ୟବହାର କରିପାରେ ବୋଲି ଗବେଷଣାରୁ ଜଣାପଡ଼ିଛି।
ବସାଗୁଡ଼ିକ ଅଳ୍ପ ଗଭୀରତାର ଜଳାଶୟ ନିକଟରେ ରହିଥିଲା। ଏଠାରେ ପାଣିର ଗଭୀରତା ୦.୩ରୁ ୦.୭ ମିଟର ମଧ୍ୟରେ ଥିବା ସହ ଖୋଲା ଜଳରାଶି, ଜଳଜ ଉଦ୍ଭିଦ ଓ ଉଚ୍ଚ ଭୂମି ରହିଥିଲା। ମାଛ, ଉଭୟଚର, କ୍ରଷ୍ଟାସିଆନ୍ ଓ ଜଳଜ ଅମେରୁଦଣ୍ଡୀ ଜୀବ ଏହି ପକ୍ଷୀମାନଙ୍କର ପ୍ରମୁଖ ଖାଦ୍ୟ ଭାବେ ଚିହ୍ନଟ ହୋଇଛି।
ଗବେଷଣା ସମୟରେ ବ୍ଲାକ୍-ନେକ୍ଡ ଷ୍ଟର୍କର ପ୍ରଜନନ ଆଚରଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରଜନନ ଆଚରଣ ଦେଖାଯିବା ପରେ ଅକ୍ଟୋବର ଆରମ୍ଭରେ ବସା ନିର୍ମାଣ ହୋଇଥିଲା। ଅକ୍ଟୋବର ଶେଷରୁ ନଭେମ୍ବର ଆରମ୍ଭ ମଧ୍ୟରେ ଅଣ୍ଡା ଫୁଟିଥିଲା ଏବଂ ଡିସେମ୍ବର ପର୍ଯ୍ୟନ୍ତ ଛୁଆମାନଙ୍କ ଲାଳନପାଳନ ଚାଲିଥିଲା।
୮୯ଟି ବସା ନିରୀକ୍ଷଣ ସମୟରେ ପ୍ରାପ୍ତବୟସ୍କ ପକ୍ଷୀମାନେ ହାରାହାରି ୬୨ ମିନିଟ୍ ବସାରେ ରହୁଥିବା ଦେଖାଯାଇଥିଲା। ଖାଦ୍ୟ ସଂଗ୍ରହ ପାଇଁ ଗୋଟିଏ ପକ୍ଷୀ ବସା ଛାଡ଼ିଲେ ୯୪ ପ୍ରତିଶତ କ୍ଷେତ୍ରରେ ଅନ୍ୟ ପକ୍ଷୀଟି ବସାକୁ ଫେରି ଛୁଆଙ୍କ ଯତ୍ନ ନେଉଥିଲା। ଏଥିରୁ ଏହି ପକ୍ଷୀ ପ୍ରଜାତିର ଉଚ୍ଚସ୍ତରୀୟ ଯୁଗ୍ମ ପିତାମାତା ଯତ୍ନର ପ୍ରମାଣ ମିଳିଛି।
ଗବେଷଣା ସମୟରେ କୌଣସି ବସା ପରିତ୍ୟକ୍ତ ହୋଇନଥିଲା। ଛୁଆଙ୍କ ମୃତ୍ୟୁ କିମ୍ବା ଶିକାରୀ ପ୍ରାଣୀଙ୍କ ଆକ୍ରମଣ ମଧ୍ୟ ରେକର୍ଡ ହୋଇନଥିଲା। ଖିଜାଡିଆର ସ୍ଥିର ଜଳସ୍ତର, ପ୍ରଚୁର ଖାଦ୍ୟ ଉପଲବ୍ଧତା ଓ ତୁଳନାତ୍ମକ ଭାବେ କମ୍ ମାନବୀୟ ହସ୍ତକ୍ଷେପ ଏହି ସଫଳ ପ୍ରଜନନର ପ୍ରମୁଖ କାରଣ ବୋଲି ଗବେଷକମାନେ ଚିହ୍ନଟ କରିଛନ୍ତି।
ରାମସାର ମାନ୍ୟତାପ୍ରାପ୍ତ ଖିଜାଡିଆରେ ମିଠା ଓ ଲୁଣିଆ ପାଣିର ଉଭୟ ପ୍ରକାରର ଜଳାଭୂମି ରହିଛି। ଏହା Central Asian Flywayରେ ଥିବାରୁ ଦେଶୀ ଓ ପ୍ରବାସୀ ଜଳଚର ପକ୍ଷୀଙ୍କ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ନୂଆ ଅଧ୍ୟୟନ ଏହାକୁ କେବଳ ଖାଦ୍ୟ ଓ ଶୀତକାଳୀନ ଆଶ୍ରୟସ୍ଥଳ ନୁହେଁ, ବରଂ ବ୍ଲାକ୍-ନେକ୍ଡ ଷ୍ଟର୍କର ଗୁରୁତ୍ୱପୂର୍ଣ୍ଣ ପ୍ରଜନନସ୍ଥଳ ଭାବେ ମଧ୍ୟ ପ୍ରମାଣିତ କରିଛି।
