ଭୁବନେଶ୍ୱର, ୨୧ ଜୁନ୍: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ଓ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଆହତ ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି, ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆହତ ଶ୍ରମିକ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ତିନିଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଅଭିମୁଖେ ରବାନା ହୋଇଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ସରକାର ଘଟଣାର ନିରନ୍ତର ତଦାରଖ କରୁଥିବାବେଳେ ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ତାମିଲନାଡୁ ପ୍ରଶାସନ ସହ ଘନିଷ୍ଠ ଯୋଗାଯୋଗରେ ରହିଛନ୍ତି।
