BRICS ବୈଠକ ଅବସରରେ MoU ସ୍ୱାକ୍ଷର | ଟେଲିକମ୍, ସାଇବର ସୁରକ୍ଷା ଓ ଡିଜିଟାଲ ଭିତ୍ତିଭୂମିରେ ସହଯୋଗ ବଢ଼ିବ
ଟେଲିକମ୍ୟୁନିକେସନ୍ ଓ ସୂଚନା-ଯୋଗାଯୋଗ ପ୍ରଯୁକ୍ତି (ICT) କ୍ଷେତ୍ରରେ ଭାରତ ଓ ବ୍ରାଜିଲ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ। ଶୁକ୍ରବାର ପୁଣେରେ BRICS ICT Track Meeting ଅବସରରେ ଦୁଇ ଦେଶ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଏବଂ ବ୍ରାଜିଲର ଯୋଗାଯୋଗ ମନ୍ତ୍ରୀ ଫ୍ରେଡେରିକୋ ଡି ସିକ୍ୱେରା ଫିଲ୍ହୋ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।
ଏହି MoUର ମୁଖ୍ୟ ଲକ୍ଷ୍ୟ ହେଉଛି ଡିଜିଟାଲ ଇନୋଭେସନ୍କୁ ପ୍ରୋତ୍ସାହନ, ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଟେଲିକମ୍ ଓ ICTର ରଣନୈତିକ ତଥା ଉଦୀୟମାନ କ୍ଷେତ୍ରରେ ପ୍ରଯୁକ୍ତିଗତ ସହଯୋଗ ବଢ଼ାଇବା।
ଚୁକ୍ତି ଅନୁସାରେ ଟେଲିକମ୍ ନୀତି ଓ ନିୟମାବଳୀ ସହିତ Artificial Intelligence (AI), 5G ଓ 6G, Open RAN, Internet of Things (IoT), Direct-to-Device (D2D) କନେକ୍ଟିଭିଟି, Low Earth Orbit (LEO) ସାଟେଲାଇଟ୍ ଏବଂ Non-Terrestrial Networks (NTN) ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ହେବ।
ଏହା ସହ ସ୍ପେକ୍ଟ୍ରମ୍ ଓ ସାଟେଲାଇଟ୍/ଅର୍ବିଟ୍ ପରିଚାଳନା, ଡିଜିଟାଲ ଭିତ୍ତିଭୂମି, ଅପ୍ଟିକାଲ ଫାଇବର ଓ ସବମେରିନ୍ କେବୁଲ୍ କ୍ଷେତ୍ରରେ ମଧ୍ୟ ମିଳିତ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ।
ସାଇବର ସୁରକ୍ଷା, ସାର୍ବଜନୀନ ଓ ଅର୍ଥପୂର୍ଣ୍ଣ କନେକ୍ଟିଭିଟି, ଡିଜିଟାଲ ଅନ୍ତର୍ଭୁକ୍ତି, ଗ୍ରାହକ ସୁରକ୍ଷା, ପ୍ରାଇଭେଟ୍ ନେଟୱର୍କ ଏବଂ ଡିଜିଟାଲ ଟ୍ରାନ୍ସିସନ୍ ଭଳି କ୍ଷେତ୍ର ମଧ୍ୟ ଚୁକ୍ତିରେ ସାମିଲ ରହିଛି।
କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ଏହି ଚୁକ୍ତି ଭାରତ-ବ୍ରାଜିଲ ସମ୍ପର୍କକୁ ଆହୁରି ଗଭୀର କରିବ। ସାର୍ବଜନୀନ କନେକ୍ଟିଭିଟି, ସାଇବର ସୁରକ୍ଷା, Digital Public Infrastructure, ଉଦୀୟମାନ ପ୍ରଯୁକ୍ତି, ଦକ୍ଷତା ବିକାଶ ଓ ଉତ୍ତମ ପ୍ରଥାର ଆଦାନପ୍ରଦାନ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ।
BRICS ମଞ୍ଚରେ ସ୍ୱାକ୍ଷରିତ ଏହି MoU ଭାରତ-ବ୍ରାଜିଲ ମଧ୍ୟରେ ଭବିଷ୍ୟତମୁଖୀ ଡିଜିଟାଲ ସହଯୋଗର ଏକ ନୂଆ ଅଧ୍ୟାୟ ଖୋଲିଛି।
