Home Nationalଗ୍ରୀନ୍ ଏନର୍ଜିକୁ ବଡ଼ ବୁଷ୍ଟ: ₹୧.୮୬ ଲକ୍ଷ କୋଟିର ‘PM-DHARA’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

ଗ୍ରୀନ୍ ଏନର୍ଜିକୁ ବଡ଼ ବୁଷ୍ଟ: ₹୧.୮୬ ଲକ୍ଷ କୋଟିର ‘PM-DHARA’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

by Akshay Maharana
0 comments

୧୩୫ GW ଅକ୍ଷୟ ଶକ୍ତି ପରିବହନ ପାଇଁ ସୁଦୃଢ଼ ହେବ ଗ୍ରିଡ୍; ୫୦ GWh ବ୍ୟାଟେରି ଷ୍ଟୋରେଜ୍ ବ୍ୟବସ୍ଥା, ୨୦୩୨-୩୩ ସୁଦ୍ଧା କାର୍ଯ୍ୟକାରୀ ଲକ୍ଷ୍ୟ ,ଦେଶର ଅକ୍ଷୟ ଶକ୍ତି କ୍ଷେତ୍ର ଓ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ PM-DHARA (PM-Developing Harmonized and Accelerated Renewable-energy Access) ଯୋଜନାକୁ ମଞ୍ଜୁରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ମଞ୍ଜୁରି ପାଇଥିବା ଏହି ଯୋଜନାର ମୋଟ ପ୍ରକଳ୍ପ ବ୍ୟୟ ₹୧,୮୬,୪୦୫ କୋଟି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତଃରାଜ୍ୟ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରି ୧୩୫ GW ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିର ସୁଗମ ପରିବହନ ଏହାର ପ୍ରମୁଖ ଲକ୍ଷ୍ୟ।

ଯୋଜନାରେ ୫୦ GWh ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (BESS) ସ୍ଥାପନ ପାଇଁ ମଧ୍ୟ ବଡ଼ ବ୍ୟବସ୍ଥା ରହିଛି। ଏହି ବ୍ୟାଟେରି ଷ୍ଟୋରେଜ୍ ପ୍ରଣାଳୀକୁ ଅକ୍ଷୟ ଶକ୍ତି ଉତ୍ପାଦକଙ୍କ ପ୍ରକଳ୍ପସ୍ଥଳ କିମ୍ବା ଗ୍ରିଡ୍‌ର ନମନୀୟତା ପାଇଁ ଆବଶ୍ୟକ ଅନ୍ୟ ସ୍ଥାନରେ ସ୍ଥାପନ କରାଯାଇପାରିବ। ସୂର୍ଯ୍ୟ ଓ ପବନ ଶକ୍ତିର ଉତ୍ପାଦନ ସବୁ ସମୟରେ ସମାନ ନଥିବାରୁ BESS ଦ୍ୱାରା ଅତିରିକ୍ତ ବିଦ୍ୟୁତ୍ ସଞ୍ଚୟ କରି ଆବଶ୍ୟକ ସମୟରେ ଗ୍ରିଡ୍‌କୁ ଯୋଗାଇବା ସମ୍ଭବ ହେବ।

PM-DHARAକୁ ୨୦୩୨-୩୩ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରହିଛି। ମୋଟ ₹୧,୮୬,୪୦୫ କୋଟି ମଧ୍ୟରୁ ₹୧,୩୬,୩୭୮ କୋଟି Green Energy Corridor Phase-III ଅଧୀନରେ ଅନ୍ତଃରାଜ୍ୟ ସଞ୍ଚାରଣ ବ୍ୟବସ୍ଥାର ବିକାଶ ପାଇଁ ଏବଂ ₹୫୦,୦୦୦ କୋଟି ୫୦ GWh ବ୍ୟାଟେରି ଷ୍ଟୋରେଜ୍ ବ୍ୟବସ୍ଥା ପାଇଁ ରଖାଯାଇଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ମୋଟ ₹୫୪,୦୮୨ କୋଟିର ଆର୍ଥିକ ସହାୟତା ଦିଆଯିବ।

ସରକାରଙ୍କ ଅନୁସାରେ, ଏହି କେନ୍ଦ୍ରୀୟ ସହାୟତା ଅନ୍ତଃରାଜ୍ୟ ବିଦ୍ୟୁତ୍ ସଞ୍ଚାରଣ ଶୁଳ୍କର ଚାପ କମାଇବାରେ ସହାୟକ ହେବ। ଏହା ଫଳରେ ଅକ୍ଷୟ ଶକ୍ତିର ସଞ୍ଚାରଣ ଖର୍ଚ୍ଚ ନିୟନ୍ତ୍ରଣରେ ରଖିବା ସହ ଦୀର୍ଘମିଆଦିରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଖର୍ଚ୍ଚର ଚାପ କମାଇବାରେ ସହାୟତା ମିଳିପାରେ।

ଯୋଜନା ଅଧୀନରେ ନୂଆ Greenfield Transmission Projectsଗୁଡ଼ିକୁ Tariff Based Competitive Bidding ବା TBCB ପ୍ରକ୍ରିୟାରେ କାର୍ଯ୍ୟକାରୀ କରାଯିବ। Transmission Service Providersମାନେ Build-Own-Operate-Maintain (BOOM) ମଡେଲ୍‌ରେ ପ୍ରକଳ୍ପରେ ଭାଗ ନେବେ। ପୂର୍ବରୁ ଥିବା ସଞ୍ଚାରଣ ବ୍ୟବସ୍ଥାର ଉନ୍ନତୀକରଣ ଓ ନେଟୱର୍କ ସୁଦୃଢ଼ୀକରଣ କାମ Cost Plus Basisରେ କରାଯିବ। ରାଜ୍ୟ Transmission Utilities ଏହାର ମୁଖ୍ୟ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ କାମ କରିବେ।

ବ୍ୟାଟେରି ଷ୍ଟୋରେଜ୍ ବ୍ୟବସ୍ଥା ଦ୍ୱାରା ଅକ୍ଷୟ ଶକ୍ତି ଉତ୍ପାଦନରେ ହେଉଥିବା ଅସ୍ଥିରତା, ଗ୍ରିଡ୍‌ରେ ସଞ୍ଚାରଣ ଚାପ ଏବଂ ଅଧିକ ଉତ୍ପାଦନ ସମୟରେ ବିଦ୍ୟୁତ୍ କାଟଛାଟ ଭଳି ସମସ୍ୟାକୁ କମାଇବା ଲକ୍ଷ୍ୟ ରଖାଯାଇଛି। ବିଶେଷକରି ସୂର୍ଯ୍ୟାଲୋକ ନଥିବା ସନ୍ଧ୍ୟା ଓ ରାତି ସମୟରେ ସଞ୍ଚିତ ଶକ୍ତି ବ୍ୟବହାର କରି ବିଦ୍ୟୁତ୍ ଚାହିଦା ପୂରଣରେ ଏହା ସହାୟକ ହୋଇପାରିବ।

PM-DHARA ଭାରତର ୨୦୩୫ ସୁଦ୍ଧା ୯୦୦ GW ଅଣ-ଜୀବାଶ୍ମ ଇନ୍ଧନ ଆଧାରିତ ସ୍ଥାପିତ ବିଦ୍ୟୁତ୍ କ୍ଷମତା ଲକ୍ଷ୍ୟକୁ ସମର୍ଥନ କରିବ ବୋଲି ସରକାର କହିଛି। ଏହା ସହ ଦେଶର ଶକ୍ତି ସୁରକ୍ଷା ବଢ଼ାଇବା, କାର୍ବନ୍ ନିସ୍ସରଣ ହ୍ରାସ କରିବା ଓ ପରିବେଶ ସହନଶୀଳ ବିକାଶକୁ ଆଗେଇ ନେବା ଏହି ଯୋଜନାର ଦୀର୍ଘମିଆଦି ଲକ୍ଷ୍ୟ।

ଏହା ସହ ବିଦ୍ୟୁତ୍, ନିର୍ମାଣ, ଉତ୍ପାଦନ ଏବଂ ବ୍ୟାଟେରି ଷ୍ଟୋରେଜ୍ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟିର ଆଶା ମଧ୍ୟ ରଖାଯାଇଛି। ବିଶେଷକରି BESS ଉତ୍ପାଦନ ଓ ସ୍ଥାପନ, ବିଦ୍ୟୁତ୍ ଗ୍ରିଡ୍ ପରିଚାଳନା, ରକ୍ଷଣାବେକ୍ଷଣ ଓ ପ୍ରାଯୁକ୍ତିକ ସେବାରେ ଦୀର୍ଘମିଆଦି କୁଶଳୀ ନିଯୁକ୍ତି ସୃଷ୍ଟି ହେବ ବୋଲି ସରକାର ଆଶା କରୁଛି।

You may also like

Leave a Comment