Home SPORTSଏସିଆ କପ୍‌ ଫାଇନାଲରେ ପୁଣି ଭାରତ-ଶ୍ରୀଲଙ୍କା ମୁକାବିଲା, ପାକିସ୍ତାନକୁ ହରାଇଲା

ଏସିଆ କପ୍‌ ଫାଇନାଲରେ ପୁଣି ଭାରତ-ଶ୍ରୀଲଙ୍କା ମୁକାବିଲା, ପାକିସ୍ତାନକୁ ହରାଇଲା

by Sunita Jena
0 comments

ଚଳିତ ମହିଳା ଟି-୨୦ ଏସିଆ କପ୍‌ର ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ବିଜୟ ସହ ଫାଇନାଲ ଟିକେଟ୍‌ ହାତେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୪ ୱିକେଟ୍‌ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ଟାଇଟଲ ଲଢ଼େଇରେ ପହଞ୍ଚିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୩୦ ରନ୍‌ କରିଥିଲା। ଅଧିନାୟିକା ଫାତିମା ସାନାଙ୍କ ଅପରାଜିତ ୪୭ ରନ୍‌ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲା। ସେ ୩୬ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ଏହି ଇନିଂସ ଖେଳିଥିଲେ।

୧୩୧ ରନ୍‌ର ଲକ୍ଷ୍ୟ ପାଇଁ ଖେଳିବାକୁ ଆସିଥିବା ଶ୍ରୀଲଙ୍କା ଆରମ୍ଭରୁ ଚାପରେ ଥିଲା। ମାତ୍ର ୩୩ ରନ୍‌ ମଧ୍ୟରେ ଦଳ ୪ଟି ୱିକେଟ୍‌ ହରାଇବାରୁ ମ୍ୟାଚ୍‌ ପାକିସ୍ତାନ ହାତକୁ ଯିବା ଭଳି ଲାଗିଥିଲା। କିନ୍ତୁ ହର୍ଷିତା ସମରବିକ୍ରମା ଓ କବିଶା ଦିଲହାରିଙ୍କ ଦାୟିତ୍ୱବାନ ବ୍ୟାଟିଂ ମ୍ୟାଚ୍‌ର ଗତି ବଦଳାଇଦେଇଥିଲା। ଉଭୟେ ଯଥାକ୍ରମେ ୩୬ ଓ ୩୩ ରନ୍‌ କରି ଶ୍ରୀଲଙ୍କାକୁ ବିଜୟ ଦିଗରେ ନେଇଥିଲେ। ପରେ ନୀଳକ୍ଷିକା ସିଲଭା ୧୮ ଓ କୌଶିନୀ ନୃତ୍ୟାଙ୍ଗନା ୧୦ ରନ୍‌ରେ ଅପରାଜିତ ରହି ୮ଟି ବଲ୍‌ ବାକି ଥାଇ ଦଳକୁ ବିଜୟ ଦେଇଥିଲେ।

ପାକିସ୍ତାନ ପକ୍ଷରୁ ଫାତିମା ସାନା ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ ମଧ୍ୟ ଦଳକୁ ଫାଇନାଲକୁ ନେଇପାରିନଥିଲେ। ଏବେ ରବିବାର ଟାଇଟଲ ପାଇଁ ଶ୍ରୀଲଙ୍କା ଓ ୭ ଥରର ଚାମ୍ପିଅନ୍‌ ଭାରତ ମୁହାଁମୁହିଁ ହେବେ। ପୂର୍ବ ସଂସ୍କରଣର ଫାଇନାଲରେ ମଧ୍ୟ ଏହି ଦୁଇ ଦଳ ଲଢ଼ିଥିଲେ, ଯେଉଁଠାରେ ଶ୍ରୀଲଙ୍କା ଭାରତକୁ ୮ ୱିକେଟ୍‌ରେ ହରାଇ ପ୍ରଥମଥର ଏସିଆ କପ୍‌ ଟ୍ରଫି ଜିତିଥିଲା।

You may also like

Leave a Comment