Home Featuredକୋଟପାଡ଼ର ଜଳବନ୍ଦି ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

କୋଟପାଡ଼ର ଜଳବନ୍ଦି ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

by Sunita Jena
0 comments

କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅବପାତଜନିତ ବର୍ଷା ପରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ବର୍ଷା କମିଥିଲେ ମଧ୍ୟ ଅନେକ ଜଳବନ୍ଦି ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ହଟିନାହିଁ। ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଟପାଡ଼ ଓ ନବରଙ୍ଗପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସଡ଼କପଥରେ କୋଟପାଡ଼ ବ୍ଲକର ବନ୍ୟାଞ୍ଚଳକୁ ଯାଇଥିଲେ। ବୋଟ୍‌ ଯୋଗେ ପ୍ରାୟ ୪ କିଲୋମିଟର ଜଳବନ୍ଦି ଅଞ୍ଚଳ ବୁଲିବା ସହ ପିରିଞ୍ଚି ଗାଁର ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଗାଁବାସୀ ଅଞ୍ଚଳରେ ବାରମ୍ବାର ବନ୍ୟା ଆସୁଥିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ସମସ୍ୟା ଜଣାଇଥିଲେ। ଏହାସହ ଉଚ୍ଚ ପୋଲ ଓ ଉଚ୍ଚସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି ରଖିଥିଲେ।

ପରେ ଚାନ୍ଦିଲି ଆଶ୍ରୟସ୍ଥଳୀରେ ବନ୍ୟା ପ୍ରଭାବିତ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଜାଣିଥିଲେ। ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସର୍ଭେ କରାଯାଇ ନିୟମ ଅନୁସାରେ ସହାୟତା ଦିଆଯିବ ବୋଲି ସେ କହିଥିଲେ। ସମ୍ପୂର୍ଣ୍ଣ ଭାବେ ଘର ନଷ୍ଟ ହୋଇଥିଲେ ଆବାସ ଯୋଜନାରେ ନୂଆ ଘର ଏବଂ ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ମରାମତି ସହାୟତା ଦେବାକୁ ଆଶ୍ୱାସନ ଦିଆଯାଇଛି। ପାଣି ନକମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକେ ଆଶ୍ରୟସ୍ଥଳୀରେ ରହିବେ ଏବଂ ଘରକୁ ଫେରିବାବେଳେ ୧୫ ଦିନର ମାଗଣା ଚାଉଳ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

କୋଟପାଡ଼ ଗସ୍ତ ପରେ ଜୟପୁର ବିମାନବନ୍ଦରରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପ୍ରଶାସନ ସହ ବନ୍ୟା ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ଉଦ୍ଧାର, ରିଲିଫ୍‌, ଆଶ୍ରୟସ୍ଥଳୀର ବ୍ୟବସ୍ଥା ଓ କ୍ଷୟକ୍ଷତି ଆକଳନ ଉପରେ ଆଲୋଚନା ହୋଇଥିଲା।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଶ୍ରୟସ୍ଥଳୀରେ ଥିବା ପରିବାରଙ୍କୁ ୧୫ ଦିନ ପାଇଁ ଖାଦ୍ୟ, ରାସନ, ପୋଷାକ ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତଙ୍କୁ ନିୟମ ଅନୁସାରେ ଅଗ୍ରୀମ କ୍ଷତିପୂରଣ ଓ ସହାୟତା ଦେବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଚାଷଜମିରୁ ଜଳ ନିଷ୍କାସନ ପାଇଁ ବୈଷୟିକ ଟିମ୍‌ ନିୟୋଜିତ ହେବା ସହ ପାଣି ହଟିବା ପରେ ପୁନର୍ବାର ଚାଷ କାର୍ଯ୍ୟ କିପରି ଆରମ୍ଭ ହେବ, ସେଥିପାଇଁ ଯୋଜନା କରାଯିବ।

ଏହାପରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଓ ନବରଙ୍ଗପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିଥିଲେ। ପ୍ରାରମ୍ଭିକ ସର୍ଭେ ଅନୁସାରେ ନବରଙ୍ଗପୁର ଜିଲ୍ଲାର ୧୦୦ ପଞ୍ଚାୟତର ୧୬୭ଟି ଗାଁ ଏବଂ ନବରଙ୍ଗପୁର ସହରର ୬ଟି ୱାର୍ଡର ପ୍ରାୟ ୨୪,୭୦୬ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନରେ ପ୍ରାୟ ୫୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ପୌରପାଳିକା ଓ ବ୍ଲକରେ ୮୩ଟି, ନନ୍ଦାହାଣ୍ଡିରେ ୧୧୫ଟି ଏବଂ କୋଷାଗୁମୁଡ଼ାରେ ୬୯ଟି ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି।

You may also like

Leave a Comment