Home Featuredଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ଧାରଣା, ସ୍କୁଲ ଗେଟ୍‌ରେ ତାଲା

ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ଧାରଣା, ସ୍କୁଲ ଗେଟ୍‌ରେ ତାଲା

by Sunita Jena
0 comments

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣସିଂହପୁର ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ସ୍କୁଲରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ପିଲା ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ପ୍ରାୟ ୭ ଜଣ ଶିକ୍ଷକ ଆବଶ୍ୟକ ଥିବା କୁହାଯାଉଛି। ହେଲେ ବର୍ତ୍ତମାନ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ରହିଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହାର ସିଧାସଳଖ ପ୍ରଭାବ ପିଲାମାନଙ୍କ ପାଠପଢ଼ା ଉପରେ ପଡ଼ୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବରୁ ଶିକ୍ଷା ବିଭାଗ ନିକଟରେ ଦାବି ଓ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଭାବକଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିଥିବା ସେମାନେ କହିଛନ୍ତି। ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଭିତରେ ନୁହେଁ, ଗଛ ମୂଳରେ ବସି ପାଠ ପଢ଼ୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦାବି ହେଉଛି, ଖାଲିଥିବା ଶିକ୍ଷକ ପଦବିଗୁଡ଼ିକୁ ଶୀଘ୍ର ପୂରଣ କରାଯାଉ। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ମାତ୍ର ଜଣେ ଶିକ୍ଷକଙ୍କ ଉପରେ ନିର୍ଭର କରୁଥିବା ଏହି ସ୍କୁଲର ସମସ୍ୟା କେବେ ସମାଧାନ ହେବ? ଅଭିଭାବକଙ୍କ ଆନ୍ଦୋଳନ ପରେ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।

You may also like

Leave a Comment