Home Featuredଦିବ୍ୟାଙ୍ଗ ଓ ବାକ୍‌-ଶ୍ରବଣ ବାଧିତ ବାଳିକାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଦକ୍ଷତା ବିକାଶ ଓ ରୋଜଗାର ଉପରେ ଗୁରୁତ୍ୱ

ଦିବ୍ୟାଙ୍ଗ ଓ ବାକ୍‌-ଶ୍ରବଣ ବାଧିତ ବାଳିକାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଦକ୍ଷତା ବିକାଶ ଓ ରୋଜଗାର ଉପରେ ଗୁରୁତ୍ୱ

by Lokanath Panigrahi
0 comments

ଭୁବନେଶ୍ୱର, ୧୮ ଜୁଲାଇ: କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ର ପ୍ରାୟ ୫୦ ଜଣ ବାକ୍‌-ଶ୍ରବଣ ବାଧିତ ବାଳିକା ଏବଂ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ଏହି ଅବସରରେ ଦିବ୍ୟାଙ୍ଗଙ୍କ ଦକ୍ଷତା ବିକାଶ, ରୋଜଗାର ଏବଂ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।

ଆଲୋଚନା ବେଳେ ସଂଗଠନ ପକ୍ଷରୁ ବାଳିକାମାନଙ୍କୁ ସିଲାଇ ଓ ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯାଉଥିବା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଗଢ଼ିଉଠୁଥିବା ବୟନ ଓ ବସ୍ତ୍ର ଶିଳ୍ପ ସହ ପ୍ରଶିକ୍ଷିତ ବାଳିକାମାନଙ୍କୁ ଯୋଡ଼ି ରୋଜଗାରର ସୁଯୋଗ ସୃଷ୍ଟି କରାଯିବ। ଏହା ଦ୍ୱାରା ସେମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ସମ୍ମାନର ସହ ଜୀବନଯାପନ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଦିବ୍ୟାଙ୍ଗଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରି ସ୍ଥାୟୀ ରୋଜଗାର ସହ ଯୋଡ଼ିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଦକ୍ଷତା ବୃଦ୍ଧି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ସେ ବାଳିକାମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଦିବ୍ୟାଙ୍ଗଙ୍କ ପାଇଁ ଶ୍ରବଣ ଯନ୍ତ୍ର ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗର ଉପଲବ୍ଧତା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏବଂ ସରକାରୀ ଯୋଜନା ମାଧ୍ୟମରେ ଉନ୍ନତମାନର ଶ୍ରବଣ ଯନ୍ତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବାସଗୃହ, ଗ୍ୟାସ ସଂଯୋଗ, ଶୌଚାଳୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମେତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଏହି ବିଶେଷ ଅତିଥିମାନେ ରାଜଧାନୀର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ। ସେହିପରି ସେମାନଙ୍କ ପୁରୀ ଗସ୍ତ ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

You may also like

Leave a Comment